ବିଜୁଙ୍କୁ ସମ୍ମାନିତ କରିବ ଋଷ, ବିଜୟ ଉତ୍ସବରେ ସାମିଲ ହେବାକୁ ନବୀନଙ୍କୁ ନିମନ୍ତ୍ରଣ

ନନ୍ଦିଘୋଷ ବ୍ୟୁରୋ: ପୁଣି ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଦେବ ଋଷ । ୧୯୪୧ରୁ ୧୯୪୫ ମଧ୍ୟରେ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତାକୁ ସ୍ମରଣ କରି ସମ୍ମାନ ଦେବାକୁ ଯାଉଛି ଶକ୍ତିଶାଳୀ ଋଷ । ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବାକୁ ଋଷ ଘୋଷଣା କରିଛି । ଚଳିତ ମାସ ୯ ତାରିଖରେ ବିଶ୍ବଯୁଦ୍ଧ ବିଜୟକୁ ୮୦ ବର୍ଷ ପୂରୁଛି । ୭ ତାରିଖର ସକାଳେ ଏଥିପାଇଁ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି ।

ଉତ୍ସବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୯୫ ମସିହାରେ ବିଜୁ ବାବୁଙ୍କୁ ଜୁବୁଲି ମେଡାଲରେ ସମ୍ମାନିତ କରାଯାଇଥିଲା । ଏବେ ୮୦ ବର୍ଷ ପୂର୍ତ୍ତି ଅବସରରେ ନାଜି ବିରୋଧରେ ଏକାଠି ଲଢିଥିବା ହୀରୋମାନଙ୍କୁ ଋଷ ସମ୍ମାନ ପ୍ରଦର୍ଶନ କରିବ । ଏହି ହୀରୋମାନଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ପ୍ରବାଦ ପୁରୁଷ ତଥା ଝଡ଼ର ଇଗଲ ବିଜୁ ପଟ୍ଟନାୟକ । ନାଜି ଜର୍ମାନୀ ତଥା ହିଟଲରଙ୍କ ଏକଛତ୍ରବାଦ ବିରୋଧରେ ଥିଲା ଏହି ଯୁଦ୍ଧ । ବିଶ୍ବଯୁଦ୍ଧ ସମୟରେ ବିଜୁ ବାବୁ ଇଣ୍ଡିଆନ ନ୍ୟାସନାଲ ଏୟାରୱେଜରେ ପାଇଲଟ ଭାବେ କାର୍ଯ୍ୟରତ ଥିଲେ । ଋଷର ରେଡ ଆର୍ମିକୁ ସହଯୋଗ ପାଇଁ ବିଜୁ ବାବୁଙ୍କୁ ମିଳିଥିଲା ଗୁରୁ ଦାୟିତ୍ବ । ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ବିଜୁ ପଟ୍ଟନାୟକ ଷ୍ଟାଲିନ ଗ୍ରେଡରେ ବିମାନ ଅବତରଣ କରି ଋଷର ରେଡ ଆର୍ମିକୁ ସହାଯ୍ୟ କରିଥିଲେ । ଆସନ୍ତା ୭ ତାରିଖ ସକାଳେ ଯୁଦ୍ଧରେ ସହାୟତା କରିଥିବା ହୀରୋଙ୍କର ଏକ ନାମଫଳକ ଅନାବରଣ କରିବେ ଋଷ ରାଷ୍ଟ୍ରଦୂତ । ଏହି ଫଳକରେ ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ ରହିଛି ।