ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ଋଷ ରାଷ୍ଟ୍ରପତିଙ୍କ ଘୋଷଣାକୁ ନାଟୋର ଜୋରଦାର ବିରୋଧ

ମସ୍କୋ: ପଡ଼ୋଶୀ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣାକୁ ନାଟୋର ଜୋରଦାର ବିରୋଧ । ଏହି ପଦକ୍ଷେପ ବିପଜ୍ଜନକ ଓ ଦାୟିତ୍ବହୀନତାର ପରିଚୟ ବୋଲି କହିଛି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ । ଆଣବିକ ଅସ୍ତ୍ର ମୁତୟନ ନେଇ ଋଷର ଘୋଷଣା ସମ୍ପୂର୍ଣ୍ଣ ଅଯଥାର୍ଥ । ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ସଂକ୍ରାନ୍ତ ଅଙ୍ଗୀକାରକୁ ଋଷ ବାରମ୍ବାର ଭଙ୍ଗ କରୁଛି । ଏଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଥିବା କହିଛନ୍ତି ନାଟୋ ମୁଖପାତ୍ର । ନାଟୋର ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ, ଲିଥୁଆନିଆ ଓ ଲାଟଭିଆ ସୀମାକୁ ଲାଗି ଅବସ୍ଥିତ ବେଲାଋଷରେ ଯଦି ଋଷ ଆଣବିକ ଅସ୍ତ୍ର ମୁତୟନ କରେ ତେବେ ଏହାକୁ ନେଇ ନାଟୋ ଉତକ୍ଷିପ୍ତ ହେବା ଆଶଙ୍କା ରହିଛି ।

ଗତ ଜାନୁଆରୀରେ ଋଷ ଓ ବେଲାଋଷର ମିଳିତ ସମରାଭ୍ୟାସକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ଉଦବେଗ ପ୍ରକାଶ କରିଥିଲେ । ସେପଟେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ସାମିଲ ହେବା ଲାଗି ଋଷରେ ପୁଣି ସୈନ୍ୟ ସଂଗ୍ରହ ପ୍ରକ୍ରିୟା ଜୋର ଧରିଛି । ଏଥିଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଗତବର୍ଷ ସେପ୍ଟେମ୍ବରରେ 3 ଲକ୍ଷରୁ ଅଧିକ ରିଜର୍ଭ ସୈନ୍ୟ ସଂଗ୍ରହ ପରେ ପୁଣି ଥରେ ସୈନ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ନେଇ ଋଷର ହଜାର ହଜାର ଯୁବକ ଦେଶଛାଡି ପଳାୟନ କରିଥିବା ସୂଚନା ମିଳିଛି ।