କିଭ୍ ଦଖଲ ପାଇଁ ପୁଟିନଙ୍କ ଫାଇନାଲ ପ୍ରସ୍ତୁତି

1 min read

କିଭ୍: ଫୁଲ୍ ପ୍ରୁଫ୍ ପ୍ଲାନ୍ । ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ । କିଭ୍ ଯିବ ଋଷ ଦଖଲକୁ । ଆତ୍ମସମର୍ପଣ କରିବେ ୟୁକ୍ରେନ୍ ସେନା । ପୁଟିନଙ୍କ ପ୍ରସ୍ତୁତି ଶେଷ । କିଭ୍ ଉପରେ ଆକ୍ରମଣ ପୂର୍ବରୁ ଇରପିନ ସହର ପାଲଟିଛି ରଣକ୍ଷେତ୍ର । ଏପଟେ କିଭର ପୂର୍ବରେ ବ୍ରୋବରୀଠାରେ ଋଷ ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଧ୍ବଂସସ୍ତୁପରେ ପରିଣତ ହୋଇଛି ବ୍ରୋବରୀ । କେଉଁଠି ଋଷ ଟ୍ୟାଙ୍କ ଜଳୁଛି ତ ଆଉ କେଉଁଠି ବିରାଟ ବିରାଟ ଅଟାଳିକା ଧ୍ବଂସସ୍ତୁପରେ ପରିଣତ ହୋଇଛି । ଏବେ ୩ ପଟୁ ଋଷ ସେନା କିଭକୁ ଘେରି ରହିଛନ୍ତି । ଉତ୍ତରରେ ଇରପିନ, ପଶ୍ଚିମରେ ବୁଚା ଓ ମାରିଆପୋଲ ଏବଂ ପୂର୍ବରେ ବ୍ରୋବରୀ ଉପରେ ଋଷ ସେନା ଘନଘନ ଆକ୍ରମଣ ଜାରି ରଖିଛି ।

ଗୋଟିଏ ପଟେ ଋଷ, କିଭ୍ ଦଖଲ କରିବାକୁ ବ୍ୟାକୁଳ ହେଉଥିବା ବେଳେ ୟୁକ୍ରେନ ସେନା ମୁହଁତୋଡ ଜବାବ ଦେଉଛନ୍ତି । ମିଳିଥିବା ସୂଚନା ଅନୁସାରେ କିଭ୍ ଆଡକୁ ଆଗ୍ରସର ହେଉଥିବା ଋଷ ସେନାର ୫ ଟ୍ୟାଙ୍କକୁ ୟୁକ୍ରେନ ସେନା ଧ୍ବଂସ କରି ଦେଇଛି । କିଭ୍ ଆଖପାଖରେ ୟୁକ୍ରେନ ସେନା ଋଷକୁ କଡା ଟକ୍କର ଦେଉଛନ୍ତି । ୫ ଟ୍ୟାଙ୍କ ସହ ଋଷର ଏକ ରେଜିମେଣ୍ଟ କମାଣ୍ଡରଙ୍କୁ ବି ମାରିଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଉଛି । ସେପଟେ ଋଷ, କିଭକୁ ଚାରିପଟୁ ଘେରି ସାରିଛି । କିଭ୍ ମୁହାଁ ଋଷର ବିଶାଳ ସେନାକୁ କେତେଦିନ ୟୁକ୍ରେନ ଯବାନ ଅଟକାଇ ପାରିବେ ତାକୁ ଦେଖିବା ବାକି ରହିଛି ।

୪ ଦିନରେ କିଭ୍ ଦଖଲ କରିବାକୁ ଯୋଜନା କରିଥିବା ପୁଟିନ୍ କେବେ ଭାବି ନଥିଲେ ଏହା ଏତେ ଲମ୍ବା ହେବ । ଯାହାର ପ୍ରଭାବ ପୁଟିନଙ୍କ ଆକ୍ସନରୁ ଦେଖିବାକୁ ମିଳୁଛି । କିଭ୍ ଦଖନ ନହେବାରେ ବିଚଳିତ ଋଷ ସେନା ୟୁକ୍ରେନର ଅନ୍ୟ ସହରର ଉପରେ ବୋମା ବର୍ଷଣ କରି ସମ୍ପତ୍ତି ନଷ୍ଟ କରିବା ସହ ସାଧାରଣ ଲୋକଙ୍କ ଜୀବନ ନେଉଛନ୍ତି । ତେବେ ଋଷ ନିଜ ରଣନୀତି ବାରମ୍ବାର ବଦଳାଇବା ସହ କିଭ୍ ଦଖଲ ପାଇଁ ନୂଆ ପ୍ଲାନ୍ ପ୍ରସ୍ତୁତ କରିସାରିଛି । ଯାହାର ଖୁଲାସା ନୂଆ ସାଟେଲାଇଟ୍ ଚିତ୍ରରୁ ଜଣାପଡିଛି । ଏହାକୁ MAXAR ଜାରି କରିଛି । ଏଥିରୁ ଜଣାପଡୁଛି କିଭ୍ ଦଖଲ ପାଇଁ ୨୮ ଫେବୃଆରୀକୁ ଋଷରୁ ବାହାରିଥିବା ୬୪ କିମି ଲମ୍ବାର ଋଷ ସେନା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିସାରିଛନ୍ତି ।

କୁହାଯାଉଛି କିଭ୍ ଦଖଲ ପାଇଁ ନୂଆ ପ୍ଲାନ୍ କରିସାରିଛନ୍ତି ପୁଟିନ । ପ୍ଲନ ଅନୁସାରେ ୬୪ କିମି ଲମ୍ବାର ସେନାକୁ ଏକାଧିକ ଭାଗରେ ବାଣ୍ଟାଯାଇଛି । ଏହାକୁ ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।

ଋଷ ଟ୍ୟାଙ୍କ ଏବେ କିଭ୍ ସହରଠାରୁ ମାତ୍ର ୯ କିମି ଦୂରରେ ରହିଛି । ଅନ୍ୟପକ୍ଷରେ ଋଷ କିଭ୍ ସହରର ଜନବସତି ଅଞ୍ଚଳରେ ନିଜ ସେନାକୁ ପୂରାଇକୁ ଯୋଜନାରେ ରହିଛି । ଫଳରେ ୟୁକ୍ରେନ ସେନା ଚାହିଁ ମଧ୍ୟ ଋଷ ସେନା ଉପରେ ପାଲଟା ଆକ୍ରମଣ କରିପାରିବେ ନାହିଁ । ଏହାର ଫାଇଦା ନେଇ ଋଷ ସେନା ସହର ଭିତରେ ରୋଡ ଫାଇଟ୍ ଓ ବାହାରୁ ବୋମା ବର୍ଷଣ କରି ଶୀଘ୍ର କିଭ୍ ଦଖଲ କରିନେବେ ।

ତେବେ ଋଷକୁ ଜବାବ ଦେବାକୁ ୟୁକ୍ରେନ ମଧ୍ୟ ପ୍ରସ୍ତୁତ ହୋଇ ବସିଛି । ଯଦି ଋଷ ସେନା କିଭ୍ ମଧ୍ୟରେ ପ୍ରବେଶ କରେ ତେବେ ଏହା ସତ ଯେ, ୟୁକ୍ରେନ୍ ରାଜଧାନୀରେ ରକ୍ତର ନଦୀ ବୋହିବ ।