ୟୁକ୍ରେନ ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରିବ ଋଷ !

କିଭ୍: ୟୁକ୍ରେନ ଉପରେ ଋଷର ଆକ୍ରମଣ ଥମିବାର ନାଁ ନେଉନି ।  ଦିନ ଗଢିବା ସହ ଅଧିକ ଜଟିଳ ହେବାର ଲାଗିଛି ଯୁଦ୍ଧ ସ୍ଥିତି । ତେଣେ ବିଜୟ ହାସଲ ଲାଗି ଋଷ ୟୁକ୍ରେନରେ ରାସାୟନିକ କିମ୍ବା ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ସତର୍କ କରାଇଛି ଆମେରିକା । ଏହି ଅସ୍ତ୍ର ଯଦି ପ୍ରୟୋଗ କରାଯାଏ ତେବେ ବ୍ୟାପକ ଜୀବନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ଅଧିକାଂଶ ସହରରେ ଧ୍ବଂସଲୀଳା ଜାରି ରହିଥିବାବେଳେ କେତେକ ସହର ଲାଗି ଜାରି ରହିଛି ଛକାପଞ୍ଝା । ସେପଟେ ଯୁଦ୍ଧ ଟାଳିବା ଲାଗି ପ୍ରଥମ ଥର ଲାଗି ତୁର୍କୀରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଓ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଆଲୋଚନା କରିଛନ୍ତି । ଯୁଦ୍ଧ ବନ୍ଦ ଲାଗି ଋଷ ନିକଟରେ ୟୁକ୍ରେନ ଅନୁରୋଧ କରିଥିବା ସୂଚନା ମିଳିଛି । ବୈଠକରେ ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭଲୁଟ କାବୁସୋଲୁ ମଧ୍ୟ ଉପସ୍ଥିତ ଥିଲେ ।

ନାଟୋର ସଦସ୍ୟ ଥାଇ ସୁଦ୍ଧା ତୁର୍କୀ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଛି । ୟୁକ୍ରେନେବାସୀଙ୍କ ଲାଗି ମାନବିକତା ପ୍ରଦର୍ଶନ କରିବା ସହ ଏକ ଶାନ୍ତି ପ୍ରକ୍ରିୟା ଦିଗରେ ଅଭିମୁଖୀ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି କୁଲେବା । ଆଲୋଚନା ଜାରି ରହିଥିବାବେଳେ ମାରିଓପୋଲରେ ଜାରି ରହିଛି ଋଷର ଏୟାରଷ୍ଟ୍ରାଇକ । ଏକ ମାତୃକାଳୀନ ହସ୍ପିଟାଲରେ ଏୟାରଷ୍ଟ୍ରାଇକ ହେବା ଯୋଗୁଁ ପ୍ରାଣ ହରାଇଛନ୍ତି ଜଣେ ଶିଶୁଙ୍କ ସମେତ ୩ ଜଣ । ଆହତ ହୋଇଛନ୍ତି ୧୫ରୁ ଅଧିକ ଲୋକ । ଏହା ଏକ ଯୁଦ୍ଧ ଅପରାଧ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ସେପଟେ ଋଷ ଅଧିକୃତ ଦେହାହାଚି ଓ ଖାର୍କିବକୁ ପୁଣି ନିଜ ହାତକୁ ଆଣିଥିବା ଦାବି କରିଛି ୟୁକ୍ରେନ । ତେବେ ଏହି ଦୁଇ ସହର ଚାରିପାଖକୁ ଋଷ ସୈନ୍ୟ ଘେରି ରହିଥିବା ସୂଚନା ମିଳିଛି । ୧୦ଟି ସହରରେ ଅସ୍ଥାୟୀ ଅସ୍ତ୍ରବିରତି ଲାଗୁ ପାଇଁ ଋଷକୁ ଅନୁରୋଧ କରିଛି ୟୁକ୍ରେନ । ତୁରନ୍ତ ସୁମି, ମାରିଓପୋଲ, ଭୋଲନଭାଖା, ଇଜୁମ, ଖାରକିବ, ଓବଲାସ୍ତ, ବୁଚା, ବୋରୋଦିୟାଙ୍କା, ଇରପିନ ଆଦି ସହରରେ ଅସ୍ତ୍ରବିରତି ଲାଗି ଅନୁରୋଧ କରିଛି ୟୁକ୍ରେନ । ବର୍ତ୍ତମାନ ସୁଦ୍ଧା ୧୨ ହଜାରରୁ ଅଧିକ ଋଷ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ଦାବି କରିଛି ୟୁକ୍ରେନ । ଏହା ସହ ୮୧ଟି ସାମରିକ ହେଲିକପ୍ଟର ଓ ୩୩୫ ଟ୍ୟାଙ୍କ, ୧,୧୦୫ ସାମରିକ ଗାଡ଼ି, ୨୯ଟି ବିମାନ ବିଧ୍ବଂସୀ ଅସ୍ତ୍ର, ୫୬ଟି ରକେଟ ଲଞ୍ଚର, ୬୦ଟି ଇନ୍ଧନ ଟ୍ୟାଙ୍କକୁ ଧ୍ବଂସ କରାଯାଇଛି ବୋଲି ୟୁକ୍ରେନ ଦାବି କରିଛି ।

ଯୁଦ୍ଧ ସଙ୍କଟ ଭିତରେ ୟୁକ୍ରେନରୁ ବର୍ତ୍ତମାନ ୨୦ ଲକ୍ଷ ଲୋକ ପଡୋଶୀ ସୀମାକୁ ଚାଲିଯାଇଥିବା କହିଛି ଜାତିସଂଘ । ସେମାନଙ୍କ ମଧ୍ୟରୁ ପୋଲାଣ୍ଡକୁ ୧୨ ଲକ୍ଷ, ହଙ୍ଗେରୀକୁ ୧ ଲକ୍ଷ ୯୧ ହଜାର, ସ୍ଲୋଭାକିଆକୁ ୧ ଲକ୍ଷ ୪୦ ହଜାର, ମୋଲଡୋଭାକୁ ୮୨ ହଜାର ଲୋକ ପଳାୟନ କରିଛନ୍ତି ବୋଲି ଜାତିସଂଘ କହିଛି ।