ପୂର୍ବ ୟୁକ୍ରେନ ଉପରେ ଋଷର ଜୋରଦାର ଏୟାରଷ୍ଟ୍ରାଇକ, ୨୧ ମୃତ, ୨୭ ଆହତ

କିଭ୍: ୭୦ ଦିନରେ ସମର । ପୁଣି ଥରେ ପୂର୍ବ ୟୁକ୍ରେନ ଉପରେ ଋଷର ଜୋରଦାର ଏୟାର ଷ୍ଟ୍ରାଇକ । ଆକ୍ରମଣରେ ପ୍ରାଣ ହରାଇଛନ୍ତି ୨୧ ଜଣ । ଆହତ ହୋଇଛନ୍ତି ୨୭ରୁ ଅଧିକ । ଗତ ଏକମାସ ମଧ୍ୟରେ ଏୟାର ଷ୍ଟ୍ରାଇକରେ ଏହି ମୃତ୍ୟୁ ସଂଖ୍ୟା ସର୍ବାଧିକ । ୟୁରୋପର ସର୍ବବୃହତ କୋକ୍ ପ୍ଲାଣ୍ଟ ଆଭଦିଭକା ଉପରେ ହୋଇଥିବା ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୧୦ ଜଣ । ସେହିପରି ଅନ୍ୟାନ୍ୟ ସ୍ଥାନରେ ପ୍ରାଣ ହରାଇଛନ୍ତି ୧୧ ଜଣ । ସେପଟେ ୟୁକ୍ରେନ ଆଜଭୋସ୍ତଲ ଷ୍ଟିଲ ପ୍ଲାଣ୍ଟରୁ ୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସତ୍ତ୍ୱେ ଆହୁରି ଅନେକ ଲୋକ ଫସିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ରେଡକ୍ରସ୍ ଟିମ୍ ନିୟୋଜିତ ହୋଇଛନ୍ତି । ଜାତିସଂଘ ପକ୍ଷରୁ କୁହାଯାଇଛି, ଷ୍ଟିଲ ସିଟିରେ ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ସେମାନଙ୍କୁ ଜାପୋରଜିଆକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ର ଅସ୍ତ୍ର ନ ଯୋଗାଇବାକୁ ଆହ୍ବାନ ଦେଇଛନ୍ତି ପୁଟିନ । ଯୁଦ୍ଧର ଅବସାନ ପାଇଁ କିଭ୍ ପଦକ୍ଷେପ ନେଉନାହିଁ ବୋଲି ସେ କହିଛନ୍ତି । ଯୁଦ୍ଧ ବନ୍ଦ କରିବା ଲାଗି ୟୁକ୍ରେନ ଉପରେ ପାଶ୍ଚାତ୍ୟ ରାଷ୍ଟ୍ର ଚାପ ପକାନ୍ତୁ । କଥାବାର୍ତ୍ତା ଲାଗି ବର୍ତ୍ତମାନ ବି ଋଷ ଦ୍ୱାର ଖୋଲା ରଖିଛି ବୋଲି ମାକ୍ରନଙ୍କୁ କହିଛନ୍ତି ପୁଟିନ । ଯୁଦ୍ଧ ଚାଲୁ ରହିବା ଯୋଗୁ ବିଶ୍ବରେ ଖାଦ୍ୟ ନିରାପତ୍ତା ବିପନ୍ନ ହେଲାଣି ବୋଲି ଆଲୋଚନା ବେଳେ କହିଥିଲେ ମାକ୍ରନ ।