ୟୁକ୍ରେନ ଉପରେ ୭୦ରୁ ଅଧିକ ମିସାଇଲ ମାଡ଼ କଲା ଋଷ
ନୂଆଦିଲ୍ଲୀ: ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି ।
ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ । ସାରା ଦେଶରେ ଜରୁରୀ ବ୍ଲାକ ଆଉଟ ଘୋଷଣା କରିବା ଲାଗି ୟୁକ୍ରେନକୁ ବାଧ୍ୟ କରିବା ସକାଶେ ଏହି ହମଲା ହୋଇଛି । ଖାରକିବ, ଖେରସନ, କ୍ରିଭିର ଆଦି ସହରରେ ବିପୁଳ ଧନ ସମ୍ପଦ କ୍ଷତି ଘଟିଛି ।
ରାଜଧାନୀ କିବରେ ବି ଜଳ ଓ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପ୍ରବଳ ଶୀତ ମଧ୍ୟରେ ଏହି ହମଲା ୟୁକ୍ରେନକୁ ଗଭୀର ସଙ୍କଟକୁ ଠେଲି ଦେଇଛି । ଏହି ଆକ୍ରମଣକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତୀବ୍ର ବିରୋଧ କରିବା ସହ ତୁରନ୍ତ ୟୁକ୍ରେନକୁ ସହାୟତା ଦେବା ଲାଗି ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଛନ୍ତି । ନୂଆବର୍ଷ ପ୍ରାରମ୍ଭରେ ୟୁକ୍ରେନ ବିରୋଧରେ ଜୋରଦାର ହମଲା କରିବା ଲାଗି ଋଷ ଯୋଜନା କରୁଥିବାବେଳେ ଏହି ଆକ୍ରମଣ ୟୁକ୍ରେନକୁ ଥରହର କରିଛି ।
ଆକ୍ରମଣରେ ବିଶେଷ କରି ୯ରୁ ଅଧିକ ଶକ୍ତି ଭିତ୍ତିଭୂମି ଧ୍ବଂସ ହୋଇଛି । ଶକ୍ତି ପ୍ରକଳ୍ପ ଧ୍ବଂସ ହେବା ଯୋଗୁ ଅଧିକାଂଶ ସହରର ୮୫ ଭାଗ ଅଞ୍ଚଳରେ ଅନ୍ଧକାର ଛାଇ ଯାଇଛି ।