ପୂର୍ବ ୟୁକ୍ରେନରେ ଜୋରଦାର ଯୁଦ୍ଧ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗରେ ଆଗକୁ ବଢୁଛି ଋଷ

କିଭ୍: ପୂର୍ବ ୟୁକ୍ରେନରେ ଜୋରଦାର ଯୁଦ୍ଧ । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରୟୋଗରେ ଆଗକୁ ବଢ଼ୁଛି ଋଷ । ଦୁଇ ଦିନ ପରେ ଶହେ ଦିନରେ ପହଞ୍ଚିବ ଯୁଦ୍ଧ । ତମାମ ପ୍ରଚେଷ୍ଟା ସତ୍ତ୍ବେ ଏହି ବିଧ୍ବଂସକାରୀ ଯୁଦ୍ଧ ଥମିବାର ରାସ୍ତା ବାହାରିପାରିନି । ୟୁରୋପୀୟ ୟୁନିଅନର ପ୍ରତିବନ୍ଧକ, ଜାତିସଂଘ ମୁଖ୍ୟଙ୍କ ଆଲୋଚନା ପରେ ବି ବାହାରିପାରିନି ଯୁଦ୍ଧ ସମାପ୍ତିର ବାଟ । ଯୁଦ୍ଧକୁ ନେଇ ପଶ୍ଚିମୀ ଦେଶ ଋଷ ଉପରେ ଆରୋପ ଲଗାଉଥିବା ବେଳେ ଆମେରିକା ଉପରେ ଦୋଷ ଲଦିଛି ମସ୍କୋ ।

ସେପଟେ ଯୁଦ୍ଧରେ ଋଷ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ବେଳେ ୟୁକ୍ରେନକୁ ହାଇଟେକ ମିଡିୟମ ରେଞ୍ଜ ରକେଟ ସିଷ୍ଟମ ପଠାଇବାକୁ ଘୋଷଣା କରିଛି ଆମେରିକା । ଏହି ସିଷ୍ଟମ ଯୋଗେ ୟୁକ୍ରେନ ସେନା ଡୋନବାସ ରିଜିଅନରେ ଋଷ ସେନାକୁ ସାମ୍ନା କରିପାରିବ । ସେପଟେ ପୂର୍ବ ୟୁକ୍ରେନରେ ସ୍ଥିତି ବିଗୁଡ଼ୁଛି ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଯୁଦ୍ଧକୁ ଜୋରଦାର କରିଥିବା ବେଳେ ପଶ୍ଚିମୀ ଦେଶର ସହଯୋଗ ଲୋଡିଛନ୍ତି ଜେଲେନସ୍କି ।