ବାଇଡେନଙ୍କ ପତ୍ନୀ ଝିଅକୁ ଟାର୍ଗେଟ କରି ବଦ୍‌ଲା ନେଲା ଋଷ

ମସ୍କୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଓ ଝିଅ ଉପରେ ପ୍ରତିବନ୍ଧକ ଲଗାଇଲା ଋଷ  । ଏହା ସହ ୨୩ ଜଣ ଆମେରିକା ନାଗରିକଙ୍କ ଉପରେ ଋଷ ପ୍ରତିବନ୍ଧକ ଲଗାଇଥିବା ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ଲଗାତାର ଋଷର ରାଜନୈତିକ ଓ ସାବର୍ଜନିକ ବ୍ୟକ୍ତିତ୍ବଙ୍କ ବିରୋଧରେ ଆମେରିକା ପ୍ରତିବନ୍ଧକ ଲଗାଇ ଆସୁଛି  । ଯାହାର ଜବାବ ଦେବାକୁ ଯାଇ ଋଷ ୨୫ ଜଣ ଆମେରିକୀୟଙ୍କୁ ଷ୍ଟପ ଲିଷ୍ଟରେ ଯୋଡିଛି ।

ଋଷ ଜାରି କରିଥିବା ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଓ ଝିଅର ନାମ ବି ସାମିଲ ରହିଛି । ସେହିପରି ଆମେରିକାର ସିନେଟର, କେତେକ ବିଶ୍ବବିଦ୍ୟାଳୟର ପ୍ରଫେସର, ସରକାରଙ୍କ ପୂର୍ବତନ ଅଧିକାରୀ ବି ଷ୍ଟପ ଲିଷ୍ଟରେ ସାମିଲ ହୋଇଛନ୍ତି ।

ଏହା ପୂର୍ବରୁ ସମାନ ଢଙ୍ଗରେ ଋଷର ଅନେକ ଉଦ୍ଦ୍ୟୋଗପତି, ବ୍ୟବସାୟୀ, ରାଜନେତାଙ୍କ ସହ ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା । ଠିକ ଏହା ପରେ ବ୍ରିଟେନ ସମେତ ଅନ୍ୟ କେତେକ ଇଉରୋପୀୟ ଦେଶ ଋଷ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ । ସେହିପରି ଋଷ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ପରିବାର, ସୁରକ୍ଷା ପରିଷଦର ସଦସ୍ୟ ଓ ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରତିବନ୍ଧକ ଲିଷ୍ଟରୁ ବାଦ୍‌ ଦେଇନଥିଲା ଆମେରିକା ।