ୟୁକ୍ରେନର ସାଂଘାତିକ ଅଭିଯୋଗ, ୨ ହଜାରରୁ ଅଧିକ ଶିଶୁଙ୍କୁ ଅପହରଣ କରିଛି ଋଷ

କିଭ୍: ଯୁଦ୍ଧ ଭିତରେ ଆସିଲା ଚାଞ୍ଚଲ୍ୟକର ଖବର । ୨ ହଜାରରୁ ଅଧିକ ଶିଶୁଙ୍କୁ ଅପହରଣ କରିଛି ଋଷ । ଋଷ ବିରୋଧରେ ଏମିତି ଗୁରୁତର ଅଭିଯୋଗ ଆଣିଛି ୟୁକ୍ରେନ । ବିଶେଷ କରି ଋଷ ନିୟନ୍ତ୍ରଣାଧୀନ ଦୋନବାସରୁ ୨ ହଜାର ୩୮୯ ଜଣ ଶିଶୁଙ୍କୁ ବେଆଇନ ଭାବେ ଅପହରଣ କରି ନିଆଯାଇଛି ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯାଇଛି । ୨୦୧୪ରୁ ଏହି ଅଞ୍ଚଳରେ ଋଷ ସପକ୍ଷବାଦୀ ଶକ୍ତି ଦବଦବା ବଜାୟ ରଖିଛନ୍ତି । କିଛି ଦିନ ତଳେ ୟୁକ୍ରେନର ଅନ୍ୟ ଦୁଇ ଅଞ୍ଚଳ ଦୋନେସ୍କ ଓ ଲୁହାନସ୍କକୁ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ଘୋଷଣା କରିଥିଲା ଋଷ ।

ସେପଟେ ଋଷ କବଜାରେ ଥିବା ଖେରସନ ସହରରେ ବିକ୍ଷୋଭକାରୀଙ୍କ ଉପରକୁ ଋଷ ସୈନ୍ୟ ଗୁଳି କରିଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଅଭିଯୋଗ କରିଛନ୍ତି । ତେଣେ ୟୁକ୍ରେନର ପ୍ରାୟ ସମସ୍ତ ସହରରେ ଏୟାରରେଡ ଆଲର୍ଟ ଜାରି ହୋଇଛି । ସୁମି, ମାଇକୋଲେଭ, ତେମୋପିଲ, ପୋଲତାଭା, ଖାରକିଭ୍, ଜାପୋରଜିଆ, ଓଡେସା, ଓବଲାସ୍ତ, ରିବନି ଆଦି ସମସ୍ତ ସହରରେ ଏୟାର ସାଇରନ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ସାରା ଦେଶରେ ଋଷର ଯୁଦ୍ଧ ବିମାନ ପଇଁତରା ମାରିବା ପରିଲକ୍ଷିତ ହୋଇଛି । କିଭର ଏକ ସପିଂ କମ୍ପ୍ଲେକ୍ସରେ ମିସାଇଲ ଆଟାକ୍ କରିଛି ଋଷ । ସେଠାରେ ମିସାଇଲ ଓ ଗୋଳାବାରୁଦ ଗଚ୍ଛିତ ହୋଇଥିବା ଆଶଙ୍କାରେ ଋଷ ଏହି ପଦକ୍ଷେପ ନେଇଛି । ତେଣେ ସୁମି ଉପରେ ହୋଇଥିବା ଏୟାରଷ୍ଟ୍ରାଇକରେ ଏକ କାରଖାନାରୁ ଆମୋନିଆ ଲିକ୍ ହେଉଥିବା ଯୋଗୁ ଆତଙ୍କ ପ୍ରକାଶ ପାଇଛି ।