ଆମେରିକା ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଋଷ, ଅନେକ ଶୀର୍ଷ ଅଧିକାରୀଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ

କିଭ୍: ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୯୭ ଜଣ ଶିଶୁ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । କାନାଡ଼ା ସଂସଦରେ ଅଭିଭାଷଣ ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି । ଏପଟେ କିଭରେ ଋଷର ଆକ୍ରମଣ ବଢୁଥିବା ବେଳେ ସେଠାରେ ୩୬ ଘଣ୍ଟାର କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । କିଭରେ ଯୁଦ୍ଧ ତାଣ୍ଡବଲୀଳା ଚାଲୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ କର୍ଫ୍ୟୁ ଘୋଷଣା ହୋଇଛି ।

ସେପଟେ ଋଷ ଆମେରିକା ଉପରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ହିଲାରୀ କ୍ଲିଣ୍ଟନଙ୍କ ସମେତ ଆମେରିକାର ଅନେକ ଶୀର୍ଷ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଛି ଋଷ । ସେମାନେ ଆଉ ଋଷ ପ୍ରବେଶ କରିପାରିବେ ନାହିଁ । ୟୁକ୍ରେନ ଏବଂ ଋଷ ସେନା ମଧ୍ୟରେ ଭୟାନକ ଯୁଦ୍ଧ ଜାରି ରହିବା ବେଳେ ଅନେକ ଦେଶ ଋଷ୍‌ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି । ତେବେ ଏବେ ପୁଟିନ୍‌ କଟକଣା ଲାଗୁ କରିବା ପରେ ଆମେରିକା ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।