ବିଶ୍ବବାସୀଙ୍କୁ ଭୋକ କରିବ କଲବଲ: ୟୁକ୍ରେନରୁ ଖାଦ୍ୟଶସ୍ୟ ରପ୍ତାନୀ ଚୁକ୍ତିରୁ ଓହରିଲା ଋଷ

1 min read

ମସ୍କୋ: ବିଶ୍ବରେ ଅଧିକ ଉତ୍କଟ ହେବ ଖାଦ୍ୟ ସମସ୍ୟା । ବିଶେଷ କରି ୟୁରୋପୀୟ ଦେଶରେ ପଡ଼ିବାକୁ ଯାଉଛି ହାହାକାର । କ୍ରିମିଆରେ ଋଷୀୟ ଜାହାଜ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ୟୁକ୍ରେନରୁ ଖାଦ୍ୟଶସ୍ୟ ରପ୍ତାନୀ ସଂକ୍ରାନ୍ତ ଚୁକ୍ତିରୁ ଓହରି ଯାଇଛି ଋଷ । ଫଳରେ ୟୁକ୍ରେନରୁ ବିଦେଶକୁ ଶସ୍ୟ ରପ୍ତାନୀ ସମ୍ଭବ ହୋଇପାରିବ ନାହିଁ ।

ଅଧିକାଂଶ ଜଳପଥ ଋଷ କବଜାରେ ଥିବାରୁ ଜାହାଜରେ ରପ୍ତାନୀ ହୋଇପାରିବ ନାହିଁ ।  ପାଶ୍ଚାତ୍ୟ ରାଷ୍ଟ୍ରର କଟକଣା ଯୋଗୁଁ ଋଷର ନିଜସ୍ବ ଶସ୍ୟ ରପ୍ତାନୀ ବାଧାପ୍ରାପ୍ତ ହେଉଛି । ଯାହା ଫଳରେ ୟୁକ୍ରେନ ଉପରେ ଦାଉ ସାଧିଛି ଋଷ । ବିଶ୍ବରେ ଖାଦ୍ୟାଭାବ ଜାରି ରହିଥିବାବେଳେ ଋଷର ଏହି ପଦକ୍ଷେପ ଖାଦ୍ୟ ସମସ୍ୟାକୁ ଅଧିକ ଘନୀଭୂତ କରିବ ।

ଶସ୍ୟ ରପ୍ତାନୀ ନେଇ ଜାତିସଂଘ ଓ ତୁର୍କୀ ମଧ୍ୟସ୍ଥତାରେ ଗତ ଜୁଲାଇରେ ଏକ ରାଜିନାମା ହୋଇଥିଲା । ରାଜିନାମା ଅନୁସାରେ ନଭେମ୍ବର ୧୯ ତାରିଖ ସୁଦ୍ଧା ୟୁକ୍ରେନରୁ ୯୦ ଲକ୍ଷ ଟନ ଖାଦ୍ୟଶସ୍ୟ ରପ୍ତାନୀ ହେବାର ଥିଲା । ଋଷର ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେହିପରି ବିଶ୍ବରେ ଖାଦ୍ୟ ସମସ୍ୟା ଅଧିକ ଉତ୍କଟ ହେବ ବୋଲି କହିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରି କୁଲେବା ।

ସୂଚନାଯୋଗ୍ୟ, କ୍ରିମିଆରେ ଋଷର କେତେକ ଜାହାଜ ଉପରେ ହୋଇଥିବା ହମଲାକୁ ନେଇ କ୍ଷୁବ୍ଧ ହୋଇଥିଲା ଋଷ । ଏନେଇ ବ୍ରିଟେନ ଉପରେ ଦୋଷ ଲଦିଛି ଋଷ । କ୍ରିମିଆ ଅନ୍ତର୍ଗତ କୃଷ୍ଣ ସାଗରରେ ଋଷରେ କେତେକ ଯାତ୍ରୀବାହୀ ଜାହାଜ ଓ ନୌସେନା ଜାହାଜ ଉପରେ ହୋଇଥିବା ଆକ୍ରମଣ କ୍ଷେତ୍ରରେ ୟୁକ୍ରେନକୁ ବ୍ରିଟେନ ସହାୟତା କରିଥିଲା ବୋଲି ଅଭିଯୋଗ କରିଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ । ସେହିପରି ବଲଟିକ ସାଗରରେ ଗତ ସେପ୍ଟେମ୍ବର ୨୬ରେ ଅନ୍ତଃରାଷ୍ଟ୍ରୀୟ ନର୍ଡ ଷ୍ଟ୍ରିମ-1 ଓ ନର୍ଡ ଷ୍ଟ୍ରିମ-2 ଗ୍ୟାସ ପାଇପ ଲାଇନ ବିସ୍ଫୋରଣ ଘଟଣାରେ ବ୍ରିଟିଶ ନୌସେନା ସାମିଲ ଥିଲେ ବୋଲି ଅଭିଯୋଗ କରିଛି ଋଷ ।

ତେଣେ ବ୍ରିଟେନର ତତକାଳୀନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ବ୍ୟକ୍ତିଗତ ଫୋନକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏଜେଣ୍ଟମାନେ ହ୍ୟାକ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଟ୍ରସ ଓ ତାଙ୍କର ନିକଟତମ ବନ୍ଧୁ ତଥା ପୂର୍ବତନ ଅର୍ଥମନ୍ତ୍ରୀ କ୍ବାସି କ୍ବାର୍ତେଙ୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ପୁଟିନ ବାହିନୀ ହ୍ୟାକ କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।