ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଭାରତ ଗସ୍ତରେ ଆସିବେ ଋଷ ବୈଦେଶିକ ମନ୍ତ୍ରୀ

1 min read

ମସ୍କୋ: ଋଷ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଯୁଦ୍ଧ ରୋକିବାକୁ ସବୁ ପ୍ରକାର ଉଦ୍ୟମ ଫେଲ ମାରୁଛି । ଯୁଦ୍ଧ ଚାଲିଥିବାବେଳେ ଆସନ୍ତା ୩୧ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଆସିବେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରଭ । ବିଶ୍ୱ ରାଜନୈତିକ ସ୍ଥିତି ସମ୍ପର୍କରେ ସେ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କ ସହ ଆଲୋଚନା କରିବେ । ଯୁଦ୍ଧରେ ଋଷର ଭୂମିକା ଓ ସମ୍ଭାବ୍ୟ ଶାନ୍ତି ପ୍ରତିଷ୍ଠା ସମ୍ପର୍କରେ ସେ ଆଲୋଚନା କରିବା ଆଶା ରହିଛି । ସେହିପରି ମାର୍ଚ୍ଚ ୩୧ରେ ବ୍ରିଟେନ ବୈଦେଶିକ ସଚିବ ଲିଜ ଟ୍ରସ ଓ ମେକ୍ସିକୋ ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଏବାର୍ଡ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି ।

ଅନ୍ୟପଟେ, ପୁଣି ଋଷ ଉଠାଇଛି ଆଣବିକ ଅସ୍ତ୍ର ପ୍ରସଙ୍ଗ । ସ୍ଥିତି ବିପନ୍ନ ହେଲେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ଋଷ ପଛାଇବ ନାହିଁ ବୋଲି କହିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ । ଏକ ସାକ୍ଷାତକାରରେ ସେ କହିଛନ୍ତି ବର୍ତ୍ତମାନର ଯୁଦ୍ଧ ସ୍ଥିତିରେ ଋଷ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ନାହିଁ । ଋଷର ଏକ ନିରାପତ୍ତା ନୀତି ରହିଛି । ଯଦି କୌଣସି ଅବସ୍ଥାରେ ଦେଶର ସ୍ଥିତି ବିପନ୍ନ ହୁଏ ତେବେ ସମସ୍ତ ବିପଦକୁ ହଟାଇବା ଲାଗି ଋଷ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ।

ପୂର୍ବ ୟୁରୋପରେ ୬ଟି ନୌସେନା ବିମାନ ମୁତୟନ କରାଯାଉଛି ବୋଲି କହିଛି ପେଣ୍ଟାଗନ । ଏହି ଯୁଦ୍ଧବିମାନଗୁଡ଼ିକ ଇଲେକ୍ଟ୍ରୋନିକ ଯୁଦ୍ଧରେ ସ୍ୱାତ୍ୟନ୍ତ୍ରତା ଲାଭ କରିଛନ୍ତି । ନାଟୋ ଶକ୍ତିର ପରିଚାଳନା ଲାଗି ୨୪୦ ନୌସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପେଣ୍ଟାଗନ ମୁଖପାତ୍ର ଜନ କିର୍ବି କହିଛନ୍ତି ନାଟୋ ପକ୍ଷରୁ ପୂର୍ବାଞ୍ଚଳରେ EA-18G ଗ୍ରୋଲର ବିମାନ ମୁତୟନ କରାଯାଉଛି । ତେବେ ସେଗୁଡିକୁ ୟୁକ୍ରେନ ସପକ୍ଷରେ ବ୍ୟବହାର କରାଯିବ ନାହିଁ ।