କିଭ୍‌ରେ ଘନଘନ ଆକ୍ରମଣ, ଡ୍ରୋନ ଷ୍ଟ୍ରାଇକ ପରେ ଧୂଆଁମୟ ୟୁକ୍ରେନ

କିଭ୍: କ୍ୟାପିଟାଲ ସିଟିରେ ଘନ ଘନ ଆଟାକ୍ । ବୋମା, ବିସାଇଲ ବିସ୍ଫୋରଣରେ ଥରୁଛି କିଭ୍‌ ସହର । ୟୁକ୍ରେନ ରାଜଧାନୀ ଓ ଏହାର ଆଖପାଖ ସହର ଉପରେ ଜୋରଦାର ହମଲା କରିଛି ଋଷ । ବେଲାଋଷ ପଟୁ ୟୁକ୍ରେନ ଉପରେ ଆଟାକ୍‌ ପାଇଁ ଋଷ ଯୋଜନା କରୁଥିବା ବେଳେ ସୀମା ସୁରକ୍ଷା ପାଇଁ ୟୁକ୍ରେନ ପ୍ରସ୍ତୁତ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ଡ୍ରୋନ ଷ୍ଟ୍ରାଇକ ପରେ କିଭ୍‌ ସହର ଧୂଆଁମୟ ହୋଇଛି । ସ୍କୁଲ, ହସ୍ପିଟାଲ, ଚର୍ଚ ଉପରେ ଡ୍ରୋନ୍‌ ଆଟାକ ହୋଇଥିବା ବେଳେ ଖେରସନ ଅଞ୍ଚଳରେ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତାର ହମ୍‌ଲା ଯୋଗୁ କିଭ୍‌ର ପ୍ରାୟ ୮୦ ପ୍ରତିଶତ ଘରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି । ଋଷ ସହ ଯୁଦ୍ଧ ପାଇଁ ୟୁକ୍ରେନକୁ ମଲ୍ଟିପୁଲ ଲଞ୍ଚ ରକେଟ ସିଷ୍ଟମ, ୧୨୫ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ଯୋଗାଇବାକୁ ଘୋଷଣା କରିଛି ବ୍ରିଟେନ ।

ଅନ୍ୟପଟେ ୟୁକ୍ରେନ ବିରୋଧରେ ବଳ ଗୋଟାଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯୁଦ୍ଧର ତରିକା ନିର୍ଦ୍ଧାରଣ, ସାମରିକ ସ୍ତରରେ ସହଯୋଗ, ୟୁକ୍ରେନ ବିରୋଧରେ ମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆଜି ବେଲାଋଷ ଗସ୍ତ କରିବେ ପୁଟିନ । ପ୍ରତିପକ୍ଷ ଆଲେକଜାଣ୍ଡାର ଲୁକାସେଙ୍କୋଙ୍କ ସହ ପୁଟିନ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ବେଲାଋଷ ରାଜଧାନୀ ମିନସ୍କର ଇଣ୍ଡିପେଣ୍ଡେଣ୍ଟ ପ୍ୟାଲେସରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ।