ଋଷର ଆଣବିକ ଅସ୍ତ୍ର ପ୍ରୟୋଗର ବାର୍ତ୍ତା, କହିଲା ସ୍ଥିତି ବିପନ୍ନ ହେଲେ ପ୍ରୟୋଗ ହେବ…

1 min read

କିଭ୍: ଋଷ-ୟୁକ୍ରେନ ଯୁଦ୍ଧର ଅବସ୍ଥା ଜଟିଳ ହେଉଥିବା ବେଳେ ଋଷ ଦେଇଛି ଆଣବିକ ଅସ୍ତ୍ର ପ୍ରୟୋଗର ବାର୍ତ୍ତା । ଯଦି ଋଷର ସ୍ଥିତି ବିପନ୍ନ ହୁଏ, ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ । ସେ କହିଛନ୍ତି, ଆଭ୍ୟନ୍ତରୀଣ ନିରାପତ୍ତା ଓ ଦେଶବାସୀଙ୍କ ସୁରକ୍ଷାକୁ ଋଷ ଗୁରୁତ୍ବ ଦେଉଛି । ତିନିଦିନ ତଳେ ନ୍ୟୁକ୍ଲିୟର ଇଭାକୁଏସନ ଡ୍ରିଲ ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ ପରେ ସୃଷ୍ଟି ହୋଇଥିଲା ହଇଚଇ ।

ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ପୁଣି ଥରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ପୁଟିନଙ୍କ ସହ ଆଲୋଚନା କରି ଅସ୍ତ୍ରବିରତି ଲାଗି ସେ ଅନୁରୋଧ କରିଛନ୍ତି । ଆଜି ଫ୍ରାନ୍ସ ସାଂସଦଙ୍କୁ ଉଦବୋଧନ ଦେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତୁରନ୍ତ ହସ୍ତକ୍ଷେପ କରିବାକୁ ପୋପ୍ ଫ୍ରାନସିସଙ୍କ ନିକଟରେ ବି ଅନୁରୋଧ କରିଛନ୍ତି ଜେଲେନସ୍କି । ଏହାସହ ସେ କହିଛନ୍ତି ଯୁଦ୍ଧର ଗତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯଦି ତୁରନ୍ତ ଯୁଦ୍ଧ ବନ୍ଦ ନହୁଏ ତେବେ ଆତ୍ମସମର୍ପଣ ପୂର୍ବରୁ ୟୁକ୍ରେନ ଧ୍ବଂସ ହୋଇଯାଇଥିବ ।

ସେପଟେ ଋଷ ପୁଣି କହିଛି ସମାଧାନ ଲାଗି ୟୁକ୍ରେନକୁ ଯେଉଁ ପ୍ରସ୍ତାବ ଦିଆଯାଇଛି ସେହି ଆଧାରରେ ହିଁ ଆଲୋଚନା କରାଗଲେ ସମାଧାନର ବାଟ ଫିଟିବ । ଅନ୍ୟପଟେ ୟୁକ୍ରେନରେ ରାସାୟନିକ ଓ ଜୈବିକ ଅସ୍ତ୍ର ପ୍ରୟୋଗ କରିବାକୁ ଋଷ ଯୋଜନା କରିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବ୍ରସଲେସରେ ନାଟୋ, ୟୁରୋପୀୟ ରାଷ୍ଟ୍ରସଂଘ ଓ ଗ୍ରୁପ-୭ ରାଷ୍ଟ୍ର ଗୋଷ୍ଠୀ ବୈଠକ ବସୁଥିବା ବେଳେ, ବୈଠକରେ ଯୋଗଦେବାକୁ ଯିବେ ବାଇଡେନ ।Russia Ukraine War Volodymyr Zelensky Recall UN Peacekeeping Force

ସେଠାରେ ଋଷ ବିରୋଧରେ କେତେକ ପଦକ୍ଷେପ ନେବାର ସମ୍ଭାବନା ରହିଛି । ଯୁଦ୍ଧ ସମ୍ପର୍କରେ ନାଟୋ ମହାସଚିବ ଜେନସ ଷ୍ଟୋଲଟନବର୍ଗଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ଋଷ ବିରୋଧରେ ଅଧିକ କଡ଼ା ପଦକ୍ଷେପ ନେବା ସମ୍ପର୍କରେ ଦୁଇ ନେତା ଆଲୋଚନା କରିଛନ୍ତି ।