କ୍ରେମଲିନ୍ ଉପରେ ଡ୍ରୋନ୍ ଆଟାକକୁ ନେଇ ଆମେରିକାକୁ ଦୋଷ ଦେଲା ଋଷ

1 min read

ମସ୍କୋ: କ୍ରେମଲିନ୍ ଉପରେ ଡ୍ରୋନ୍ ଆଟାକକୁ ନେଇ ଆମେରିକାକୁ ଦୋଷ ଦେଲା ଋଷ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ଲାଗି ଯୋଜନା ଥିଲା ବୋଲି ଅଭିଯୋଗ କରିଛି ଋଷ । କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି- ଏହି ଆକ୍ରମଣ ଲାଗି କିଭରେ ଯୋଜନା ହୋଇ ନଥିଲା ବରଂ ଓ୍ୱାଶିଂଟନରେ ହୋଇଥିଲା । ପୂର୍ବରୁ ଡ୍ରୋନ୍ ଆକ୍ରମଣ ପଛରେ ୟୁକ୍ରେନର ହାତ ଥିଲା ବୋଲି ଅଭିଯୋଗ କରିଥିଲା ଋଷ । ତେବେ ଋଷର ଅଭିଯୋଗକୁ ୟୁକ୍ରେନ ଖଣ୍ଡନ କରିଥିଲା । ତେଣେ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କାରଣରୁ ନୋଭୋ-ଓଗାରେଭୋସ୍ଥିତ ନିଜ ବାସଭବନର ବଙ୍କରରେ ରହି ପୁଟିନ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି । ତେଣେ ଡ୍ରୋନ ପ୍ରସଙ୍ଗକୁ ନେଇ ୟୁକ୍ରେନ ଉପରେ ଆଟାକ ଜୋରଦାର କରିଛି ଋଷ । ଖେରସନର ସୁପର ମାର୍କେଟ ଓ ରେଳ ଷ୍ଟେସନ ଉପରେ ରକେଟ ହମଲାରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ରାଜଧାନୀ କିଭରେ ମଧ୍ୟ ଲଗାତାର ବିସ୍ଫୋରଣ ଜାରି ରହିଛି । ପୁରା ସହରରେ ଏୟାର ରେଡ୍‌ ଆଲର୍ଟ ଜାରି କରାଯାଇଛି । ୟୁକ୍ରେନ ଉପରେ ଋଷ ୨୪ରୁ ଅଧିକ ଡ୍ରୋନ୍ ଆକ୍ରମଣ କରିଛି ।

ତେଣେ ହଗ୍ ଗସ୍ତରେ ଯାଇଥିବା ଜେଲେନସ୍କି ଏକ ଓ୍ବାର ଟ୍ରିବ୍ୟୁନାଲ ଗଠନ ଲାଗି ଦାବି କରିଛନ୍ତି । ନିଜର ଅପରାଧିକ କାର୍ଯ୍ୟକଳାପ ଲାଗି ପୁଟିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟରେ ସେ ଦାବି କରିଛନ୍ତି । ଏହି ଘଟଣାର ଉଚିତ ଜବାବ ଦିଆଯିବା ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ପ୍ରାସାଦ ଉପରେ ଆକ୍ରମଣ କରିବାକୁ ଋଷ ପାର୍ଲାମେଣ୍ଟ ଧମକ ଦେଇଛି । ଆସନ୍ତା ମେ ୯ ତାରିଖରେ ବିଜୟ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଏହି ହମଲା ଯୋଜନାକୁ ସହଜ ଭାବେ ଗ୍ରହଣ କରିନି ଋଷ । ମସ୍କୋ ଆକାଶରେ କୌଣସି ପ୍ରକାର ବେଆଇନ ଡ୍ରୋନ ଉଡାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି ମସ୍କୋ ମେୟର । ଅତୀତରେ ଋଷର ଅନେକ ସହର ଉପରେ ବହୁଥର ଡ୍ରୋନ ଉଡିଥିବା ପରିଲକ୍ଷିତ ହୋଇଛି । ଗତ ଜାନୁଆରୀରୁ ଆଜି ଯାଏ ଋଷର ବିଭିନ୍ନ ଅଞ୍ଚଳ ଓ ଅଧିକୃତ ଇଲାକାରେ ୨୦ଟି ଡ୍ରୋନ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ତଳେ ୟୁକ୍ରେନକୁ ତୁର୍କୀ ଅତ୍ୟାଧୁନିକ ବେରାକତାର TB2 ଆର୍ମଡ ଡ୍ରୋନ ବିକ୍ରି କରିଛି ।