spot_img

Latest Posts

ପ୍ରତିରକ୍ଷା ଇତିହାସରେ ନୂଆ ଅଧ୍ୟାୟ, ଭାରତ ହାସଲ କଲା ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ: ପ୍ରତିରକ୍ଷା ଇତିହାସରେ ନୂଆ ଅଧ୍ୟାୟ। ଭାରତ ହାସଲ କଲା ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ। ଏଣିକି ୬୦୦ କିଲୋମିଟର ଦୂରରୁ ଆସୁଥିବା ବିମାନ, କ୍ଷେପଣାସ୍ତ୍ର, ଡ୍ରୋନକୁ ଧ୍ୱଂସ କରିବାକୁ ସକ୍ଷମ ହେବ ଭାରତ। ଏହାଦ୍ୱାରା ମଜଭୁତ ହେବ ଭାରତୀୟ ପ୍ରତିରକ୍ଷା। ଶତ୍ରୁ ପକ୍ଷର ଜବରଦସ୍ତ ମୁକାବିଲା ଲାଗି ସକ୍ଷମ ହେବ ଋଷ ନିର୍ମିତ ଏସ-୪୦୦ ଟ୍ରିଉମ୍ଫ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ। ଏହାର ଯୋଗାଣ ଆରମ୍ଭ କରିଛି ଋଷ। ଋଷର ସବୁଠାରୁ ଅଧିକ ଉନ୍ନତ ଓ ଅତ୍ୟାଧୁନିକ ସିଷ୍ଟମ ହାତେଇବା ପରେ ଭାରତର ପ୍ରତିରକ୍ଷା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।

ସିଷ୍ଟମ ଯୋଗାଣ ନେଇ ସୂଚନା ଦେଇଛନ୍ତି ଋଷୀୟ ସାମରିକ ବୈଷୟିକ ସହଯୋଗ ସଂଗଠନର ନିର୍ଦ୍ଦେଶକ ଦିମିତ୍ରି ସୁଗାୟେଭ। ଆସନ୍ତା ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବା ପୂର୍ବରୁ ଏହି ଅସ୍ତ୍ର ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଲାଗି ୨୦୧୮ରେ ଦୁଇ ଦେଶ ମଧ୍ୟରେ ହୋଇଥିଲା ୫ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି। ସେତେବେଳେ ଆମେରିକାର ଡୋନାଲଡ ଟ୍ରମ୍ପ ପ୍ରଶାସନର ବିରୋଧ ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୨୦୧୯ରେ ଏନେଇ ଭାରତ ଋଷକୁ ପ୍ରଦାନ କରିଥିଲା ୮୦୦ ନିୟୁତ ଡଲାର। ଏହି ସିଷ୍ଟମର ମରାମତି ଓ ମୁତୟନ ଲାଗି ଦୁଇ ଦେଶର ସାମରିକସ୍ତରୀୟ କଥାବାର୍ତ୍ତା ଚାଲିବ। ତେବେ ଏହି ସିଷ୍ଟମ ଯୋଗାଣ ହେତୁ ଭାରତ ବିରୋଧରେ କଟକଣା ଜାରି କରିପାରେ ଆମେରିକା। ପୂର୍ବରୁ ଏହି ସିଷ୍ଟମ ହାସଲ କରିଥିବା ହେତୁ ତୁର୍କୀ ବିରୋଧରେ ଆମେରିକା କଟକଣା ଜାରି କରିଥିଲା। ଏହି ସିଷ୍ଟମରେ ଏକ ବ୍ୟାଟେରୀ, ଲଙ୍ଗ ରେଞ୍ଜ ରାଡାର, ଟାର୍ଗେଟ ଆକ୍ୟୁଜିସନ ରାଡାର, କମାଣ୍ଡ ପୋଷ୍ଟ ଭେଇକଲ ଆଦି ରହିଛି।

Latest Posts

Don't Miss