ଦୁଇଟି ବିଶ୍ୱଯୁଦ୍ଧ ପରେ ପୁଣି ଏକ ଯୁଦ୍ଧ ଆଡ଼କୁ ମୁହାଁଉଛି ବିଶ୍ୱ: ଆମେରିକା

1 min read

ନୂଆଦିଲ୍ଲୀ: ଯୁଦ୍ଧ ଲାଗି ୟୁକ୍ରେନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୟୁକ୍ରେନ ସୀମାରେ ଦେଢ ଲକ୍ଷରୁ ଅଧିକ ସୈନ୍ୟଙ୍କୁ ବର୍ତ୍ତମାନ ସୁଦ୍ଧା ମୁତୟନ କରିଛି ୟୁକ୍ରେନ । ସେପଟେ ଜାତିସଂଘ ନିରାପତ୍ତା ପରିଷଦରେ ଋଷ ବିରୋଧରେ ଅଭିଯୋଗ କରିଛି ଆମେରିକା । ଏହା ସହ ଯୁଦ୍ଧ ଲାଗି ଋଷ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରିଛି ଏବଂ ସୈନ୍ୟ ପ୍ରତ୍ୟାହାର ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦର୍ଶାଇଛି ଆମେରିକା । ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଯୋଗଦେଇ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ୟୁକ୍ରେନ ସୀମାରେ ଋଷ ୧ ଲକ୍ଷ ୫୦ ହଜାର ସୈନ୍ୟଙ୍କୁ ମୁତୟନ କଲାଣି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବର୍ତ୍ତମାନ ବିପଦ ମୁହଁକୁ ଯାଇଛି । ଦୁଇଟି ବିଶ୍ବଯୁଦ୍ଧ ଓ ଗୋଟିଏ ଶୀତଳ ଯୁଦ୍ଧ ପରେ ପୁଣି ଥରେ ଆଉ ଏକ ଯୁଦ୍ଧ ମୁହଁକୁ ବିଶ୍ବ ଗତିକରୁଛି ବୋଲି ସେ କହିଛନ୍ତି ।

ସେହିପରି ଭାରତ ମଧ୍ୟ ୟୁକ୍ରେନ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି ବୋଲି କହିଛନ୍ତି ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି । ସେ କହିଛନ୍ତି- ସକରାତ୍ମକ କୂଟନୈତିକ ଆଲୋଚନା ଜରିଆରେ ଏହି ବିବାଦର ସମାଧାନ ସମ୍ଭବ । ସେପଟେ ୟୁକ୍ରେନର କେତେକ ସ୍ଥାନରେ ଗୋଳାମାଡ କରାଯାଇଛି ଏବଂ କିଛି ଘର ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିଛି ଆମେରିକା । ଏହାର ଫଟୋ ମଧ୍ୟ ପ୍ରକାଶ କରାଯାଇଛି । ଏହାସହ ୟୁକ୍ରେନ ସୈନ୍ୟ ଓ ଋଷୀୟ ସହାୟତାପ୍ରାପ୍ତ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଏକ ଯୁଦ୍ଧ ଲାଗି ଋଷ କ୍ଷେତ୍ର ପ୍ରସ୍ତୁତ କରୁଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ ।

ଅନ୍ୟପକ୍ଷରେ ଭାରତୀୟମାନଙ୍କୁ ନିରାପଦରେ ସ୍ୱଦେଶ ଆଣିବା ଲାଗି ଦେଶର ବିଭିନ୍ନ ଏୟାରଲାଇନ୍ସକୁ ଅନୁରୋଧ କରିଛନ୍ତି ସରକାର । ୟୁକ୍ରେନରୁ ଭାରତକୁ ଅଧିକ ସଂଖ୍ୟକ ବିମାନ ଚଳାଇବା ଲାଗି ବୈଦେଶିକ ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ ପରାମର୍ଶ ଦେଇଛନ୍ତି । ଏୟାରବବଲ ରାଜିନାମା ଅନୁସାରେ ଅଧିକ ବିମାନ ଚଳାଚଳ କରିବକୁ ବ୍ୟବସ୍ଥା କରାଯାଇଥିବାବେଳେ କୋଭିଡ କଟକଣାକୁ ହଟାଇ ଦିଆଯାଇଛି । ତେଣେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜର୍ମାନୀ ଓ ଫ୍ରାନ୍ସ ଗସ୍ତରେ ଯାଇ ମ୍ୟୁନିକ ନିରାପତ୍ତା ସମ୍ମିଳନୀରେ ୟୁକ୍ରେନ ପରିସ୍ଥିତି ଓ ଭାରତର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିବେ ବୋଲି ସୂଚନା ମିଳିଛି ।

Leave a Reply