ୟୁକ୍ରେନର ସାମରିକ ବେସ୍ ଉପରେ ଋଷର ଆକ୍ରମଣ, ୭୦ ୟୁକ୍ରେନ ସୈନିକ ମୃତ

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଫେବ୍ରୁଆରୀ ୨୪ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିପକ୍ଷରେ ସେନା ଅପରେସନ ନିର୍ଦ୍ଦେଶ ଦେବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ ୟୁକ୍ରେନ ବିଭିନ୍ନ ସହର ଉପରେ ଆକ୍ରମଣ କରି ନିଜ କବ୍ଜାକୁ ନେବାରେ ଲାଗିଛି । ବିଭିନ୍ନ ସହର ଉପରେ ଆକ୍ରମଣ କରିବା ପରେ ଏବେ ପୁଟିନଙ୍କ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଅକ୍ତିଆର କରିବା ପାଇଁ ଭୟଙ୍କର ଆକ୍ରମଣ କରୁଛି ଋଷ ।

ତେବେ ମଙ୍ଗଳବାର ଦିନ ଋଷ ୟୁକ୍ରେନର ଏକ ସାମରିକ ବେସ୍ ଉପରେ କରିଛି ଭୟଙ୍କର ଆକ୍ରମଣ । ଏହି ଆକ୍ରମଣରେ ୭୦ରୁ ଅଧିକ ୟୁକ୍ରେନ ସୈନିକ ନିହତ ହୋଇଛନ୍ତି । ଋଷର ସୈନ୍ୟମାନେ ତୋପରେ ଓଖଟାଇରିକାରେ ଅବସ୍ଥିତ ସାମରିକ ବେସକୁ ଟାର୍ଗେଟ କରିଥିଲେ । ତେବେ ଏହି ଓଖଟାଇରିକା ସହର ଖରକିଭ୍ ଓ କିଭ୍ ମଧ୍ୟରେ ଅବସ୍ଥିତ ଅଟେ ।

ସୂଚନା ଅନୁସାରେ ଋଷ ସେନା ଦ୍ରୁତ ଗତିରେ କିଭ୍ ଆଡକୁ ଅଗ୍ରସର ହେଉଛି । ୟୁକ୍ରେନର ରାଜଧାନୀ କିଭକୁ ଦଖଲ କରିବା ପାଇଁ ଋଷ ସେନା ପକ୍ଷରୁ ବର୍ତ୍ତମାନ ଏକ ବିରାଟ ସାମରିକ କନଭେ ପଠାଯାଇଛି । ଋଷର ୬୪ କିଲୋମିଟର ଲମ୍ବା ସାମରିକ କନଭେ କିଭ୍ ଆଡ଼କୁ ଅଗ୍ରସର ହେଉଛି । ଏହାପୂର୍ବରୁ ପଠାଯାଇଥିବା ଋଷ କନଭେର ଲମ୍ବା ୩ ମାଇଲ ପର୍ଯ୍ୟନ୍ତ ଥିଲା। ଅର୍ଥାତ ଏହି କନଭେନର ଲମ୍ବା ୪ରୁ ୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା ।

Leave a Reply