ୟୁକ୍ରେନ ରାଜଧାନୀ କିଭରେ ଋଷର ଜୋରଦାର ଷ୍ଟ୍ରାଇକ, ସାମରିକ କେନ୍ଦ୍ର ଉପରେ ଆକ୍ରମଣ

1 min read

କିଭ୍: ପ୍ରାୟ ୩ ସପ୍ତାହ ପରେ ପୁଣି ୟୁକ୍ରେନ ରାଜଧାନୀ କିଭ୍ ଉପରେ ଋଷର ଜୋରଦାର ଷ୍ଟ୍ରାଇକ । ଜର୍ମାନୀରେ ଗ୍ରୁପ-୭ ବୈଠକ ଚାଲିଥିବା ବେଳେ କିଭ୍ ଉପରେ ଆକ୍ରମଣ କରିଛି ଋଷ । ପୂର୍ବ ୟୁକ୍ରେନର ସେଭେରୋ ଡୋନେସ୍କକୁ ଅକ୍ତିଆର କରିବା ପରେ କିଭ୍ ଉପରେ ଆକ୍ରମଣ ହୋଇଛି । ସେପଟେ ପୋଲାଣ୍ଡ ସୀମା ଅନ୍ତର୍ଗତ କେତେକ ସାମରିକ କେନ୍ଦ୍ର ଉପରେ ବି ଆକ୍ରମଣ ହୋଇଛି । ଆକ୍ରମଣ ଯୋଗୁ କେତେକ ବୃହତ ଅସ୍ତ୍ର ଗୋଦାମ ଧ୍ୱଂସ ପାଇଥିବା ସୂଚନା ମିଳିଛି । ଗ୍ରୁପ-୭ ବୈଠକରେ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ, ଇଟାଲି, ଫ୍ରାନ୍ସ, ଜାପାନ ଯୋଗ ଦେଇଥିବା ବେଳେ ଏହି ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଉଦବୋଧନ ଦେବେ ।

କିଭ୍ ଉପରେ ଆକ୍ରମଣକୁ ତୀବ୍ର ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ବୈଠକରେ ଋଷ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସମ୍ଭାବନା ରହିଛି । ଏହାସହ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ନିଷ୍ପତ୍ତି ଗ୍ରହଣ କରାଯିବ । ଅସ୍ତ୍ରଶସ୍ତ୍ର ଅଭାବରୁ ପୂର୍ବ ୟୁକ୍ରେନର ସେଭେରୋ ଡୋନେସ୍କ ହାତଛଡ଼ା ହେଲା ବୋଲି ଗ୍ରୁପ-୭ରେ ମତପ୍ରକାଶ ପାଇଛି । ସେପଟେ ଯୁଦ୍ଧ ଆରମ୍ଭ ପରଠାରୁ ପ୍ରଥମ ଥର ଲାଗି କେନ୍ଦ୍ର ଏସିଆ ଅନ୍ତର୍ଗତ ଦୁଇ ପ୍ରଜାତନ୍ତ୍ର ତାଜିକିସ୍ତାନ ଓ ତୁର୍କମେନିସ୍ତାନକୁ ଗସ୍ତ କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେଠାରେ ସେ କାସ୍ପିଆନ ରାଷ୍ଟ୍ର ସମୂହ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯୁଦ୍ଧ ପରିପ୍ରେକ୍ଷୀରେ ଦୁଇ ରାଷ୍ଟ୍ରଙ୍କୁ ସାହାଯ୍ୟ ଭିକ୍ଷା ଲାଗି ପୁଟିନ କରିପାରନ୍ତି ଅନୁରୋଧ । ଏହି ଦୁଇ ରାଷ୍ଟ୍ର ଅତୀତରେ ସୋଭିଏତ ରାଷ୍ଟ୍ରସଂଘର ଅନ୍ତର୍ଭୁକ୍ତ ଥିବା ବେଳେ ଋଷ ସହ ଦୁଇ ରାଷ୍ଟ୍ରର ଉତ୍ତମ ସମ୍ପର୍କ ରହିଛି ।