ନୂଆ ବର୍ଷରେ ରକ୍ତମୁଖା ଋଷ, ୟୁକ୍ରେନ ଉପରେ ମିଶାଇଲ ମାଡ
1 min read
କିଭ୍: ନୂଆବର୍ଷରେ ବି ଥମିଲାନି ଋଷର ଆକ୍ରମଣ। ଗୋଟିଏ ପଟେ ନୂଆ ବର୍ଷକୁ ସ୍ବାଗତ କରାଯାଉଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ଘନ ଘନ ମିଶାଇଲ ମାଡ କରିଛି ଋଷ। ରାଜଧାନୀ କିଭ୍ ସମେତ ଅନ୍ୟାନ୍ୟ ସହର ଉପରେ ହୋଇଛି ଜୋରଦାର ଆକ୍ରମଣ । ମିଶାଇଲ ମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ରୁ ଅଧିକ ଲୋକେ ଆହାତ ହୋଇଥିବା ସୂଚନା ମିଳିଛି। ସେପଟେ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ଧୈର୍ଯ୍ୟ ଧରି ପରିସ୍ଥିତିର ସାମନା କରିବା ଲାଗି ସହରବାସୀଙ୍କୁ ଆହ୍ବାନ ଦେଇଛନ୍ତି।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟରାତ୍ରୀରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଋଷ ଐତିହାସିକ ଭାବେ ଏକ ସଠିକ୍ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। କିଭରେ ନବବର୍ଷ ପାଳନ ହେଉଥିବା ବେଳେ ୧୧ରୁ ଅଧିକ ବିସ୍ଫୋରଣ ସଂଗଠିତ ହେବା ସୂଚନା ମିଳିଛି। କିଭ ସ୍ଥିତ ତାରକା ହୋଟେଲ ଅଲଫାବିତୋରେ ବି ବିସ୍ଫୋରଣ ଘଟିଛି। ଯୁଦ୍ଧକୁ ୧୧ ମାସ ପୂରିଥିବାବେଳେ ଏବେ ବି ଆସିପାରିନାହିଁ ନିର୍ଣ୍ଣାୟକ ସ୍ଥିତି। ୟୁକ୍ରେନର ଚିଫ ଅଫ୍ ଜେନେରାଲ ଷ୍ଟାଫ ଭାଲେରି ଜାଲୁଝିନି କହିଛନ୍ତି- ଋଷ ପକ୍ଷରୁ ୟୁକ୍ରେନ ଉପରେ ୨୦ରୁ ଅଧିକ କ୍ରୁଜ ମିସାଇଲ ପ୍ରୟୋଗ କରାଯାଇଥିବାବେଳେ ସେଥିରୁ ୧୨ଟିକୁ ଖସାଇ ଦିଆଯାଇଛି । ଖୁବ୍ ଶୀଘ୍ର ଯୁଦ୍ଧର ଅବସାନ ହେବ ବୋଲି ବିଶ୍ବବାସୀ ଆଶା କରୁଥିବା ସତ୍ତ୍ବେ ଏଥିରେ କୌଣସି ସମ୍ଭାବନା ପରିଲକ୍ଷିତ ହୋଇପାରିନାହିଁ ।