ୟୁକ୍ରେନର ୫ ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କଲା ଋଷ

1 min read

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଉଭୟ ଦେଶ ମଧ୍ୟରେ ଆଜି ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ଏହି ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ବିଭିନ୍ନ ଦେଶର ଅନେକ ଲୋକ । ସେମାନଙ୍କ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ଋଷ ଉପରେ ଚାପ ପକାଉଛନ୍ତି । ତେବେ ଯୁଦ୍ଧ କ୍ଷେତ୍ରରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପୁଣି ଥରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ ।

ଆଜି ଋଷ ୟୁକ୍ରେନର ୫ଟି ସହରରେ ସାମୟିକ ସମୟ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛି । କିଭ୍, ଚେରନିହିବ୍, ସୁମି, ଖାରକିଭ୍ ଓ ମାରିଉପୋଲ ସହରରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁମିରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ । ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହେବ। ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ପ୍ରସ୍ତୁତ ହୋଇଛି । ଯାହା ଫଳରେ ବିଦେଶୀ ନାଗରିକମାନେ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ବାହାରି ଆସିପାରିବେ ।