ୟୁକ୍ରେନରେ ଯୁଦ୍ଧବିରତି ଘୋଷଣା କଲା ଋଷ, ଫସିଥିବା ଲୋକ ଉଦ୍ଧାର ନହେବା ପର୍ଯ୍ୟନ୍ତ ହେବନି ଆକ୍ରମଣ

1 min read

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁକ୍ରେନ ବିରୋଧରେ ଜାରି ରହିଥିବା ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ଯୁଦ୍ଧରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି ପୁଟିନ୍ । ୟୁକ୍ରେନର ଦୁଇ ସହରରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ମାରିୟୋପୋଲ ଓ ବୋଲେନୋବାଖା ସହରରେ ଅସ୍ତ୍ରବିରତି । ଭାରତୀୟ ସମୟ ପୂର୍ବାହ୍ନ ୧୧.୩୦ରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ଏହି ଦୁଇ ସହରରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ନକରିବା ପର୍ଯ୍ୟନ୍ତ ଆକ୍ରମଣ କରିବନି ଋଷ । ଲୋକଙ୍କୁ ଯୁଦ୍ଧ କ୍ଷେତ୍ରରୁ ଉଦ୍ଧାର କରିବା ପାଇଁ ହେବ ଗ୍ରୀନ କରିଡର । ଏହି ଦୁଇ ସହରରେ ଭାରତ ସମେତ ବିଭିନ୍ନ ଦେଶର ବହୁ ନାଗରିକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଋଷ ଅସ୍ତ୍ରବିରତି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ଫେବ୍ରୁଆରୀ ୨୪ରେ ୟୁକ୍ରେନ ବିପକ୍ଷରେ ସ୍ୱତନ୍ତ୍ର ସେନା ଅପରେସନର ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ବିଭିନ୍ନ ସହର ଉପରେ ମିଜାଇଲ ଓ ରକେଟ ମାଡ କରିଛି ଋଷ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଅପରେସନ ଗଙ୍ଗା ମାଧ୍ୟମରେ ହଜାର ହଜାର ଭାରତୀୟ ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରୁଛନ୍ତି ।

Leave a Reply