ମସ୍କୋ ଓ କିବ୍ ମଧ୍ଯରେ ବନ୍ଦୀ ବିନିମୟ; ଉଭୟ ପକ୍ଷର ୧୦୩ ଲେଖାଏଁ ବନ୍ଦୀଙ୍କୁ ଅଦଳବଦଳ

ନନ୍ଦିଘୋଷ ବ୍ୟୁରୋ: ମସ୍କୋ ଓ କିବ୍ ମଧ୍ଯରେ ହୋଇଛି ବନ୍ଦୀ ବିନିମୟ । ଉଭୟ ପକ୍ଷର ୧୦୩ ଲେଖାଏଁ ବନ୍ଦୀଙ୍କୁ କରାଯାଇଛି ଅଦଳବଦଳ । ସଂଯୁକ୍ତ ଆରବ ଏମିରେଟସର ମଧ୍ଯସ୍ଥତା କ୍ରମେ ଏହା ସଫଳ ହୋଇଛି । ସେପଟେ ପୂର୍ବ ୟୁକ୍ରେନ ଭିତରେ ନିଜର ଦବଦବା ଜାରି ରଖିଛି ରୁଷିଆ ।

ଗତ ମେ ୨୦୨୨ରେ ଆଜୋବସ୍ତାଲ ଷ୍ଟିଲ ପ୍ଲାଣ୍ଟକୁ ନିଜ କବଜାକୁ ନେବା ପରେ ୟୁକ୍ରେନୀୟଙ୍କୁ ବନ୍ଦୀ କରି ରଖିଥିଲା ରୁଷିଆ। ଘମାଘୋଟ ଯୁଦ୍ଧ ମଧ୍ଯରେ ଏହି ବନ୍ଦୀ ବିନିମୟ କାର୍ଯ୍ୟକ୍ରମ ଶାନ୍ତି ପ୍ରତିଷ୍ଠା ଦିଗରେ ଆଶାର ସଞ୍ଚାର ସୃଷ୍ଟି କରିଛି । ସେପଟେ ଦୂରଗାମୀ କ୍ଷେପଣାସ୍ତ୍ର ବ୍ଯବହାର ଲାଗି ୟୁକ୍ରେନକୁ ଅନୁମତି ନ ଦେବାକୁ ଚେତାବନୀ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯଦି ଅନୁମତି ଦିଆଯିବ ତେବେ ତାହା ଯୁଦ୍ଧରେ ନାଟୋର ଭାଗ ନେବା ସହ ସମାନ ବୋଲି କହିଛନ୍ତି ପୁଟିନ ।