ଘନେଇଲା ଯୁଦ୍ଧ ଭୟ: ହାତ ମିଳାଇଲେ ଋଷ-ଚୀନ

1 min read

ନୂଆଦିଲ୍ଲୀ: ୟୁକ୍ରେନ ପ୍ରସଙ୍ଗରେ ଏକାଠି ହେଲେ ଋଷ ଓ ଚୀନ । ଋଷ ପ୍ରତି ସମର୍ଥନ ଘୋଷଣା କଲା ଚୀନ । ଆମେରିକା ନେତୃତ୍ବାଧୀନ ନାଟୋରେ କୌଣସି ନୂଆ ସଦସ୍ୟଙ୍କୁ ସାମିଲ ନ କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦାବିକୁ ସମର୍ଥନ ଜଣାଇଛି ଚୀନ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଦୁଇ ଶକ୍ତି ବିଧିବଦ୍ଧ ଭାବେ ନାଟୋ ବିରୋଧରେ ଏକ ହୋଇଛନ୍ତି । ଏପରିକି ବିଶ୍ବର ନିରାପତ୍ତା ଅସ୍ଥିର ଲାଗି ଆମେରିକାର ପଦକ୍ଷେପ ବିରୋଧରେ ଏହି ଦୁଇ ସୁପରପାଓ୍ବାର ଦୀର୍ଘସୂତ୍ରୀ ଯୋଜନା ବି ପ୍ରସ୍ତୁତ କରିଛନ୍ତି ।

ଶୀତଳ ଯୁଦ୍ଧ କାଳରେ ଯେପରି ଅବସ୍ଥା ହୋଇଥିଲା, ତାହା ପୁଣି ଥରେ ଦୋହରାଇବାକୁ ଦିଆଯିବ ନାହିଁ ବୋଲି ପୁଟିନ ଏବଂ ଜିନପିଙ୍ଗ ଘୋଷଣା କରିଛନ୍ତି । କୌଣସି ଦେଶ ନିଜ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନେବ ଏବଂ ଏଥିରେ ବାହ୍ୟଶକ୍ତି ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଦୁଇ ନେତା କହିଛନ୍ତି । ଏସୀୟ-ପ୍ରଶାନ୍ତ ଅଞ୍ଚଳରେ ଆମେରିକା ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ସେମାନେ କହିବା ସହ ଅଷ୍ଟ୍ରେଲିଆ, ଆମେରିକା ଓ ବ୍ରିଟେନ ମଧ୍ୟରେ ବୁଝମଣାକୁ ବିରୋଧ କରିଛନ୍ତି ।

ଋଷର ବିଭିନ୍ନ ସୀମାରେ ଆମେରିକା ଓ ନାଟୋ ମୁତୟନ କରିଥିବା କ୍ଷେପଣାସ୍ତ୍ର ହଟାଇ ନେବା ଲାଗି ମଧ୍ୟ ପୁଟିନ ଦାବି କରିଛନ୍ତି । ସେପଟେ ଜର୍ମାନ ଚାନସେଲର ଓଲାଫ ସ୍କଜ ୟୁକ୍ରେନକୁ ଆସନ୍ତା 14 ତାରିଖରେ ଏବଂ ଋଷକୁ 15 ତାରିଖରେ ଗସ୍ତ କରିବେ ବୋଲି କହିଛନ୍ତି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ମସ୍କୋ ଓ କିଏଭ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି । ଗତ 2014ରୁ ପାଶ୍ଚାତ୍ୟ ରାଷ୍ଟ୍ର ସହ ଋଷର ସମ୍ପର୍କରେ ଭଟ୍ଟା ପଡିଛି । ତେଣେ ଋଷର ଆକ୍ରମଣକୁ ପ୍ରତିହତ କରିବାକୁ ପ୍ରସ୍ତୁତି ଚଲାଇଛି ୟୁକ୍ରେନ । ବିଭିନ୍ନ ସ୍ଥାନରେ ୟୁକ୍ରେନ ସାମରିକ ଡ୍ରିଲ ଚଲାଇଛି ।

Leave a Reply