ୟୁକ୍ରେନର ୟାସିନୋଭାତାୟାରେ ପୁଣି ଋଷର ଏୟାର ଷ୍ଟ୍ରାଇକ୍‌, ରକେଟ ମାଡ଼ରେ ଧ୍ୱଂସ ଅନେକ କୋଠା

1 min read

କିଭ୍: ଥମିବାରେ ନାଁ ନେଉନି ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରରେ ଲଗାତର ଭାବରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ୟାସିନୋଭାତାୟାରେ ପୁଣି ଋଷ ଏୟାର ଷ୍ଟ୍ରାଇକ କରିଛି । ଋଷର ରକେଟ ମାଡ଼ରେ ଧ୍ୱଂସ ହୋଇଛି ଅନେକ ଘର ଓ କୋଠା । ଆକ୍ରମଣ ଯୋଗୁ ସହରରେ ପ୍ରକାଶ ପାଇଛି ଆତଙ୍କ । ଗତ ଫେବ୍ରୁଆରୀ ୨୪ରୁ ଚାଲିଥିବା ଆକ୍ରମଣ ପରିପ୍ରେକ୍ଷୀରେ ୟାସିନୋଭାତାୟାରେ ବଡ଼ ଧରଣର ଆକ୍ରମଣ ହୋଇଛି । ଡୋନେସ୍କ ପିପୁଲ୍ସ ରିପବ୍ଲିକ ଓ ଲୁଗାନସ୍କ ପିପୁଲ୍ସ ରିପବ୍ଲିକ ଘୋଷଣା ପରେ ଏହି ଦୁଇ ଅଞ୍ଚଳରେ ନିଜର ଅଧିକାର ସାବ୍ୟସ୍ତ କରିସାରିଛି ଋଷ ।

ସେପଟେ ୟୁକ୍ରେନର ଓଡ଼େଶାରେ ହୋଇଥିବା ଆକ୍ରମଣରେ ମଧ୍ୟ ୧୯ ଜଣ ପ୍ରାଣ ହରାଇଥିଲେ । ସ୍ନେକ ଆଇଲ୍ୟାଣ୍ଡରେ ମୁତୟନ ଥିବା ଋଷ ସୈନ୍ୟ ପ୍ରତ୍ୟାହାର ହେବା ପରେ ସେହି ପଥ ଦେଇ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାକୁ ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଛି ।