ରସେଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂକୁ ରୋକି ପାରିବେ ତ ସିରାଜ? ରସେଲଙ୍କ ବିପକ୍ଷରେ ଏମିତି ରହିଛି ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଆଇପିଏଲ ୨୦୨୪ର ୧୦ ନମ୍ବର ମ୍ୟାଚରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ରହିଛି । କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ଏହି ମ୍ୟାଚଟି ଚିନାସ୍ବାମୀରେ ଖେଳାଯିବାକୁ ଯାଉଛି । ଉଭୟ ଦଳ ନିଜର ଅନ୍ତିମ ମ୍ୟାଚରେ ବିଜୟୀ ହୋଇଛନ୍ତି । ପଞ୍ଜାବ ବିପକ୍ଷରେ ବାଙ୍ଗାଲୋର ଜିତିଥିବାବେଳେ ହାଇଦ୍ରାବାଦକୁ ହରାଇ ଚଳିତ ବର୍ଷର ସିଜିନ ବିଜୟ ଅଭିଯାନ ଆରମ୍ଭ କରିଛି କୋଲକାତା ନାଇଟ ରାଇଡର୍ସ । ଉଭୟ ଟିମ ଏବେ ଦମଦାର ଫର୍ମରେ ରହିଥିବାବେଳେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।

ପ୍ରଥମ ମ୍ୟାଚରେ ରସେଲ ବ୍ୟାଟିଂ କରିଥିଲେ । କୋଲାକାତା ନାଇଟ ରାଇଡର୍ସ ଏକ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା ।  ଛକା, ଚୌକା ମାଡ଼ ମାରିଥିବା ରସେଲଙ୍କ ଉପରେ ଆଜିର ମ୍ୟାଚରେ ନଜର ରହିବ ନିଶ୍ଚୟ । ସେପଟେ କୋହଲି, ମ୍ୟାକ୍ସଓ୍ବେଲ ଏବଂ ଡୁପ୍ଲେସି ବ୍ୟାଟିଂରେ ବଡ଼ ପାଳି ଖେଳିପାରନ୍ତି । କୋଲକାତା ନାଇଟ ରାଇଡର୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ପ୍ରଥମ ମ୍ୟାଚରେ ଆଖି ଦୃଷ୍ଟିଆ ଖେଳିପାରିନଥିଲେ । କେବଳ ସଲ୍ଟ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ରିଙ୍କୁ ସିଂ ମଧ୍ୟ ଭଲ ଖେଳିଥିଲେ । ତେବେ ରସେଲ ଯଦି ପଡ଼ିଆରେ ଅଧିକ ସମୟରେ ରୁହନ୍ତି ତାହେଲେ ଏହା ବାଙ୍ଗାଲୋର ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଏଣୁ ବାଙ୍ଗାଲୋର ରସେଲଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିପାରେ ।

ରସେଲଙ୍କ ବିପକ୍ଷରେ ବାଙ୍ଗାଲୋରର ମୁଖ୍ୟ ଅସ୍ତ୍ର ପାଲଟି ପାରନ୍ତି ସିରାଜ । ରସେଲ ଏଯାବତ ସିରାଜଙ୍କ ସହ ୬ଟି ମ୍ୟାଚରେ ସାମନା କରିଛନ୍ତି । ଯେଉଁଥିରୁ ମାତ୍ର ୧୯ ବଲର ସାମନା କରି ରସେଲ ୨୨ ରନ କରିପାରିଛନ୍ତି । ଏଣୁ ରସେଲ ସିରାଜଙ୍କ ବଲ ଖେଳି ସ୍କୋର କରିପାରିନାହାନ୍ତି । ଯାହାର ଫାଇଦା ଉଠାଇବ ବାଙ୍ଗାଲୋର ।