ଋଷ ରାଷ୍ଟ୍ରପତିଙ୍କ ସହ ନର୍ଥକୋରିଆ ଶାସକଙ୍କ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ନର୍ଥ କୋରିଆ ।  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ନର୍ଥ କୋରିଆ ଶାସକ କିମ ଜଙ୍ଗ ଉନଙ୍କ ମଧ୍ୟରେ ହାଇପ୍ରୋଫାଇଲ ଭେଟଘାଟ । ଭସ୍ତୋଚନି କସମୋଡ୍ରୋମରେ ଦୁଇ ନେତା ପରସ୍ପର ସହ ମିଳାଇଛନ୍ତି ହାତ । ଆନ୍ତର୍ଜାତିକ ସ୍ତରରେ ଏକଘରିକିଆ ହୋଇପଡିଥିବା ନର୍ଥକୋରିଆ ଶାସକଙ୍କ ସହ ଋଷର ଅସ୍ତ୍ର ଯୋଗାଣ ସଂକ୍ରାନ୍ତ ବୁଝାମଣା ହୋଇଥିବା ଆଶା କରାଯାଉଛି । ନିଜର ବୁଲେଟ ପ୍ରୁଫ ଟ୍ରେନରେ କିମ୍ ମସ୍କୋ ଗସ୍ତ କରିଥିଲେ । ସେପଟେ କିମ୍ ଦେଶରେ ନଥିବା ସତ୍ତ୍ବେ ଦୁଇଟି ବାଲିଷ୍ଟିକ ମିସାଇଲ ପରୀକ୍ଷା କରିଛି ନର୍ଥକୋରିଆ ।

କୋଭିଡ ପରେ କିମଙ୍କ ଏହି ପ୍ରଥମ ଗସ୍ତ ମୂଳରେ ଋଷ ଓ ନର୍ଥକୋରିଆ ମଧ୍ୟରେ ଅନେକ କ୍ଷେତ୍ରରେ ବୁଝାମଣା ହୋଇଥିବା ସୂଚନା ମିଳିଛି । ଭ୍ଲାଦିଭୋସ୍ତକ ଠାରୁ ୧ ହଜାର କିଲୋମିଟର ଦୂର ଏକ ସ୍ପେସପୋର୍ଟରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିଲା ଭେଟଘାଟ । ଉପଗ୍ରହ କାର୍ଯ୍ୟକ୍ରମ କ୍ଷେତ୍ରରେ ନର୍ଥକୋରିଆକୁ ସହାୟତା କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଉଦ୍ଦିଷ୍ଟ ବୋଲି କହିଛନ୍ତି ପୁଟିନ । ଋଷ ଗସ୍ତରେ ଯାଇଥିବା କିମଙ୍କ ସହ ଅଛନ୍ତି କେତେକ ତୁଙ୍ଗ ସାମରିକ ଅଧିକାରୀ ।

ଅରବିଟରେ ମିଲିଟାରୀ ସ୍ପାଏ ସାଟେଲାଇଟ ଅବସ୍ଥାପିତ କରିବାରେ ନର୍ଥ କୋରିଆ ବିଫଳ ହେବାକୁ ନେଇ ଏକ୍ଷେତ୍ରରେ ଋଷ ସହାୟତା କରିବା ସୂଚନା ମିଳିଛି । ସେପଟେ ନର୍ଥକୋରିଆଠାରୁ ବହୁ ଅସ୍ତ୍ରଶସ୍ତ୍ର ଲାଭ କରିବାକୁ ଋଷ ଆଶା ରଖିଛି । ଏହା ସହ ସୋଭିଏତ କାଳର ବହୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବା ଲାଗି ଋଷର ସହାୟତା ଚାହୁଁଛି ନର୍ଥକୋରିଆ । ଯଦି ଋଷକୁ ନର୍ଥକୋରିଆ ମଲ୍ଟିପଲ ରକେଟ ଲଞ୍ଚର ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇବ ତେବେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ଋଷ ଲାଭବାନ ହେବ ।