୨୯୦ କୋଟିର ପ୍ୟାକେଜ ଘୋଷଣା, ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମୀଣ ରୋଜଗାର

ଭୁବନେଶ୍ୱର: ମହାମାରୀ ପରେ ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମୀଣ ରୋଜଗାର । ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ତ୍ୱରାନିତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ । ଗରିବ ଲୋକଙ୍କୁ ରୋଜଗାର ଦେବା ନେଇ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା ବେଳେ ଜୋର ଧରିଛି ରାଜନୀତି ।

ଆଉ ରୋଜଗାର ଅଭାବରୁ ଲୋକେ କଷ୍ଟ ପାଇବେ ନାହିଁ , କି ବାହାର ରାଜ୍ୟକୁ ରୋଜଗାର ଖୋଜିବାକୁ ଯିବାକୁ ପଡିବନି । ଖାସ୍‌ ସେଥିପାଇଁ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା କାର୍ଯ୍ୟକାରୀତା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ 290 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । ଏଥିସହ ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି ।

ଦୁଇଟି ରୋଜଗାର ଯୋଜନା ଜରିଆରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏମଏସଏମଇ କ୍ଷେତ୍ର ପାଇଁ ସରକାରଙ୍କ 290କୋଟି ପ୍ୟାକେଜ ବିଶେଷ କରି ମହିଳା ଓ ଆର୍ଥିକ ଦୁର୍ବଳ ବର୍ଗର ଉଦ୍ୟୋଗିଙ୍କୁ ବେଶ ସହାୟକ ହେବ । ଯେଉଁ ଜିଲ୍ଲାର ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି ସେଠାରେ ଅଧିକ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେଠାରେ ପରିବାର ପିଛା ଅଧିକ 100ଦିନ କାମ ଓ ଅତିରିକ୍ତ ମଜୁରୀ ଦେବାକୁ ସରକାର ବ୍ୟବସ୍ଥା କରାଯାଇଛି । ଏଥିସହ କାମ କରୁଥିବା ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଯେମିତି ମଜୁରୀ ମିଳିବ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ରାଜ୍ୟରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପ୍ରଶାସନ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛି । ଆଗକୁ ଗ୍ରାମାଞ୍ଚଳରେ ୫୦ ଲକ୍ଷ ନାମମାତ୍ର ଚାଷୀ ଓ ଭୂମିହୀନ କୃଷକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ଜଣାପଡିଛି ।

Leave a Reply