ଡଲାର ତୁଳନାରେ ଟଙ୍କା ଦୁର୍ବଳ ପଛରେ ରହିଛି କି ରହସ୍ୟ ?

ଭୁବନେଶ୍ବର : ଡଲାର ତୁଳନାରେ ଟଙ୍କା ଦୁର୍ବଳ ପଛରେ ରହିଛି କି ରହସ୍ୟ ? ବଜାର ଦ୍ବାରା ପ୍ରଭାବିତ ହେଉନି । ଟଙ୍କାକୁ ଜାଣିଶୁଣି ଦୁର୍ବଳ କରାଯାଉଛି । ସୋମବାର ଟଙ୍କା ମୂଲ୍ୟ ଖସି ୮୭ ଟଙ୍କା ୯୫ ପଇସାରେ ପହଞ୍ଚିଛି । ଭାଙ୍ଗିଛି ସବୁ ରେକର୍ଡ । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଅଭିଯୋଗ ଟଙ୍କାକୁ ଉଦ୍ଦେଶ୍ଯମୂଳକ ଭାବେ ଦୁର୍ବଳ କରାଯାଉଛି । ଟଙ୍କା ଲଗାତାର ଡଲାର ତୁଳନାରେ ଦୁର୍ବଳ ହୋଇଚାଲିଛି । କିନ୍ତୁ ଏବର କେନ୍ଦ୍ର ସରକାର ତାର କାରଣ ନ ଖୋଜି ଓଲଟି କହୁଛନ୍ତି ଡଲାର ଚାହିଦା ବଢୁଛି । ଏହା ବଜାର ଦ୍ବାରା ପ୍ରଭାବିତ । ବାସ୍ତବରେ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମତି ଦେଇଛନ୍ତି । ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିଲେ ବିଦେଶୀ ପୁଞ୍ଜି ନିବେଶକାରୀ ଭାରତରେ ପୁଞ୍ଜିନିବେଶ ପାଇଁ ଅଧିକ ଆଗ୍ରହ ଦେଖାଇବେ । କେନ୍ଦ୍ର ସରକାର ଅଧିକ ପରିମାଣରେ ଏଫ୍ଡିଆଇ ଆଣିଲେ ବୋଲି ଦେଶବାସୀଙ୍କ ଆଗରେ ବାହାବା ନେବେ ଆଉ ନିର୍ବାଚନ ଜିତିବେ । କିନ୍ତୁ ଏହା ଦେଶର ଅର୍ଥନୀତି ପାଇଁ ବିପଦ । ଏଥିରେ ଦେଶର କିଛି ମୁଷ୍ଟିମେୟ ଶିଳ୍ପପତି ଫାଇଦାରେ ରହିବେ । ବିଶ୍ବରେ ଡଲାର ଚାହିଦା ସବୁବେଳେ ରହିଆସିଛି । ଡଲାରୁ ତୁଳନାରେ ଟଙ୍କା ଦୁର୍ବଳ ହେବା କିଛିଟା ସାମୟିକ ହୋଇଥାଏ । କିନ୍ତୁ ଏବର କେନ୍ଦ୍ର ସରକାରଙ୍କ ସମୟରେ ଦୀର୍ଘ ଦିନ ଧରି ଟଙ୍କା ମୂଲ୍ୟ ଖସିଚାଲିଛି ।

ଭାରତରୁ ବିଦେଶୀ ସଂସ୍ଥାଗତ ପୁଞ୍ଜିନିବେଶକାରୀ ଦେଶରୁ ସେମାନଙ୍କ ଟଙ୍କା କାଢ଼ି ନେଉଛନ୍ତି । ଅନ୍ୟପଟେ ଟଙ୍କାକୁ ଜାଣିଶୁଣି ଦୁର୍ବଳ କରାଯାଇପାରିବ ବୋଲି ସ୍ବୀକାର କରିଛନ୍ତି ଅର୍ଥନୀତି ସମୀକ୍ଷକ । ଭାରତର ଆମଦାନୀ ଅଧିକ ଓ ରପ୍ତାନୀ ସେହି ଅନୁପାତରେ ନାହିଁ ବୋଲି ବାଣିଜ୍ୟିକ ନିଅଣ୍ଟ ବଢୁଛି । ରପ୍ତାନୀକୁ ବୃଦ୍ଧି ଅଧିକ କରିବାକୁ ହେଲେ ଟଙ୍କାକୁ ଦୂର୍ବଳ କରାଯାଇପାରିବ । ଏଥିରେ ସାମଗ୍ରିକ ଭାବେ ରପ୍ତାନୀ କ୍ଷେତ୍ର ଫାଇଦା ନ ପାଇଲେ ବି କେତେକ ବଛାବଛା ରପ୍ତାନୀକାରୀଙ୍କୁ ଫାଇଦା ମିଳିବ । ଏହାସହିତ ଭାରତ ବହୁତ କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭର କରୁଛି । ମାନ୍ୟୁଫାକଚରିଂ ଉତ୍ପାଦ ବହୁ ପରିମାଣରେ ଭାରତକୁ ଆମଦାନୀ କରିବାକୁ ପଡ଼ୁଛି । ଆମେରିକାରେ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବା ପରେ ଡଲାର ଚାହିଦା ଆହୁରି ବଢିଛି । ଟ୍ରମ୍ପ ଅନ୍ୟ ରାଷ୍ଟ୍ରର ମୁଦ୍ରା ପ୍ରଭାବକୁ ନ୍ୟୁନ କରିବାକୁ ଘୋଷଣା କରିଛନ୍ତି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଚାଲିଛି । ଫଳରେ ଅଶୋଧିତ ତେଲ, ସୁନା ଓ ଆମଦାନୀ ପାଇଁ ଆରବିଆଇକୁ ଅଧିକ ଡଲାର ଗଣିବାକୁ ପଡ଼ିବ । ଏହାହେଲେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ଆହୁରି ଖାଲି ହୋଇଚାଲିବ । ତୈଳ ଆମଦାନୀ ପାଇଁ ଅଧିକ ଟଙ୍କା ବ୍ୟୟ କରିବାକୁ ହେଲେ ଦର କମିବନି କି ସାଧାରଣ ଗ୍ରାହକଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳିବନି ।