ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା । ଏକ ଆମେରିକୀୟ ଡଲାର ପିଛା ଭାରତୀୟ ଟଙ୍କା ୭୯ ଟଙ୍କା ୯୯ ପଇସାକୁ ଖସିଛି । ଭାରତରୁ ବିଦେଶୀ ନିବେଶକମାନେ ଷ୍ଟକ୍ ବଜାରରୁ ପୁଞ୍ଜି ପ୍ରତ୍ୟାହର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି । ଏହା ବ୍ୟତୀତ ରପ୍ତାନି ତୁଳନାରେ ଆମଦାନି ଅଧିକ ରହିଥିବାରୁ ଡଲାରର ମୂଲ୍ୟ ଅଧିକ ରହିଛି । ଦୁର୍ବଳ ଟଙ୍କା ଭାରତୀୟ ଅର୍ଥନୀତି ପାଇଁ ସମସ୍ୟା ସୃଷ୍ଟି କରିବ ।

ଯେଉଁମାନେ ଡଲାର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ିବ । ଗତ ଫେବ୍ରୁଆରୀ ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୭ ଥର ହ୍ରାସ ପାଇଲାଣି । ପ୍ରଥମ ଥର ପାଇଁ ମାର୍ଚ୍ଚରେ ଡଲାର ମୂଲ୍ୟ ୭୭ ଟଙ୍କାରୁ ଅଧିକ ହୋଇଥିଲା । ଏହା ପରେ ପ୍ରତିଦିନ ଟଙ୍କା ଦୁର୍ବଳ ହେଉଥିବାବେଳେ ଡଲାର ଶକ୍ତିଶାଳୀ ହେଉଛି । ଡଲାର ଜରିଆରେ ଯେଉଁ ସବୁ ସାମଗ୍ରୀ ଆମଦାନି କରାଯାଉଛି ତାହା ଆହୁରି ମହଙ୍ଗା ହେବ । ଯାହାଫଳରେ ଦରଦାମ୍ ଆହୁରି ବୃଦ୍ଧି ପାଇବ ।

ଅତୀତରେ ବହୁବାର ଟଙ୍କା ଡଲାର ତୁଳନାରେ ଦୁର୍ବଳ ହୋଇଥିଲା । ଭାରତ ସ୍ୱାଧୀନ ହେବା ପରଠାରୁ ଟଙ୍କାର ମୂଲ୍ୟ ନିର୍ଧାରଣ ହୋଇଥିଲା। ସେତେବେଳେ ଏକ ଡଲାର ଦାମ୍ ୪ ଟଙ୍କା ୭୬ ପଇସା ଥିଲା । ୧୯୬୭ ପର୍ଯ୍ୟନ୍ତ ଦାମ୍ ସେହିଭଳି ସ୍ତରରେ ରହିଥିଲା । ୧୯୯୦ ବେଳକୁ ଡଲାର ଦାମ୍ ୧୭ ଟଙ୍କା ୫୦ ପଇସା ହୋଇଯାଇଥିଲା । ତେବେ ୧୯୯୨ ବେଳକୁ ଏକ ଡଲାର ମୂଲ୍ୟ ୨୫ ଟଙ୍କା ୯୨ ପଇସା ହୋଇଯାଇଥିଲା । ତା’ ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଲଗାତାର ହ୍ରାସ ପାଉଛି। ୨୦୦୪ରେ ଡଲାର ମୂଲ୍ୟ ୪୫ ଟଙ୍କା ୩୨ ପଇସା ଥିଲା । ୨୦୧୬ ସୁଦ୍ଧା ତାହା ୬୮ ଟଙ୍କା ୮୦ ପଇସା ହୋଇଯାଇଥିଲା। ୨୦୨୧ରେ ଏକ ଡଲାର ମୂଲ୍ୟ ୭୪ ଟଙ୍କା ୫୭ ପଇସା ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା ।