ରାଜଧାନୀରେ “ରନ୍ ଫର ୟୁନିଟି” କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ “ରନ୍ ଫର ୟୁନିଟି” କାର୍ଯ୍ୟକ୍ରମ । ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଜୀବନ ସମର୍ପି ଦେଇଥିବା ତଥା ଭାରତର ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଏବଂ ସମ୍ମାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏକତା ଦୌଡରେ ଫିଟନେସର ମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଏକତା ଦୌଡ଼ କାର୍ଯ୍ୟକ୍ରମରେ ଦୌଡ଼ିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ସଚିବ । କଳିଙ୍ଗ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇଥିବା ଏହି ଦୌଡ଼ ଗଭର୍ଣ୍ଣର ହାଉସ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଫେରିଥିଲା କଳିଙ୍ଗ ଷ୍ଟାଡିୟମ୍ । ଦୌଡରେ ୨ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ପ୍ରଥମେ କଳିଙ୍ଗ ଷ୍ଟାଡିୟମରେ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ଫୁଲ ଦେଇ ପ୍ରଦୀପ ପ୍ରଜ୍ବଳନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଖଣ୍ଡ ଭାରତ ଗଠନ ପାଇଁ ଶପଥ ନେଇଥିଲେ ଅଂଶଗ୍ରହଣକାରୀ।