ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭାରେ ଶାସକ ଓ ବିରୋଧୀଙ୍କ ସ୍ବର ଏକ: କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଦାବି

ଭୁବନେଶ୍ବର: ବଢ଼ାଅ ବିଧାୟକଙ୍କ ଦରମା । ବିଧାନସଭାରେ ଶାସକ ଓ ବିରୋଧୀଙ୍କ ସ୍ବର ଏକ । ବିଧାୟକ କହିଲେ ଦରମା ଅଣ୍ଟୁନି । ବିଧାନସଭା କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଦାବି । ବଜାର ଦର ବୃଦ୍ଧି ପାଇଁ ଜୁନ ମାସରୁ ପିଛିଲା ଭାବେ ଲାଗୁ କରିବା ଦାବି । ସାଂସଦଙ୍କ ଦରମା ବୃଦ୍ଧି ହେବା ପରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନସନ୍ ଓ ଭତ୍ତା ବୃଦ୍ଧି କରିବାକୁ ବିଧାନସଭାରେ ଉଠିଲା ସ୍ବର । ଶୂନ୍ୟକାଳରେ ଏକ ହୋଇଛି ଶାସକ ଓ ବିରୋଧୀଙ୍କ ସ୍ବର। ବିରୋଧୀ ଦଳ ମୁଖ୍ୟ ସଚେତକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ବର୍ତ୍ତମାନ ବଜାର ଦର ବଢ଼ିଛି। ପେନସନ ବଢ଼ାଇବାକୁ ଦାବି କରୁଛନ୍ତି ଅନେକ ପୂର୍ବତନ ବିଧାୟକ। ପେନସନ ବାବଦକୁ ଯେତିକି ଟଙ୍କା ମିଳୁଛି, ତାହା ମେଡିସିନ ଖର୍ଚ୍ଚ ହେଉ କି ବଜାର ଦର ଆଗରେ ଯଥେଷ୍ଟ ନୁହେଁ। ବିଜେପି ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟି ସରକାରଙ୍କୁ ଦରମା ବୃଦ୍ଧି ପାଇଁ ସୁପାରିଶ କରିଛି। ତେଣୁ ସେହି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ମଲ୍ଲିକ। ସେହିପରି ପୂର୍ବତନ ବିଧାୟକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି, କିନ୍ତୁ ବିଧାୟକଙ୍କ ପାଇଁ କିଛି ନାହିଁ। ତେଣୁ ଜୁନ ମାସରୁ ପିଛିଲା ଭାବେ ଦରମା ବୃଦ୍ଧି କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ସେହିପରି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଦରମା ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି।
ବର୍ତ୍ତମାନ ରାଜ୍ୟର ବିଧାୟକଙ୍କୁ ଦରମା ବାବଦରେ ୩୫ ହଜାର ଟଙ୍କା ଓ ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି। ଯେଉଁଥିରେ କନଭିନିଏନ୍ସ ବାବଦକୁ ୧୫ ହଜାର, ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ବାବଦକୁ ୮ ହଜାର ଟଙ୍କା ପ୍ରଦାନ କରାଯାଉଛି। ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କୁ ସୁପାରିଶ କରି ସାରିଛି ବିଧାନସଭା ଦ୍ବାରା ଗଠିତ କମିଟି। ଯାହା କି ସରକାରଙ୍କ ବିଚାରାଧୀନ ରହିଛି। ପୂର୍ବ ଅଧିବେଶନରେ ମଧ୍ୟ ବିଧାୟକଙ୍କ ପେନସନ ଓ ଭତ୍ତା ବୃଦ୍ଧି ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ଏକ ହୋଇଥିଲା। ଦେଶର ଅନେକ ରାଜ୍ୟ ତୁଳନାରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠୁ କମ୍ । ରାଜ୍ୟର ବିଧାୟକଙ୍କ ଦରମା ୨୭ ନମ୍ବରରେ ରହିଛି। ୨୦୧୭ରେ ଶେଷ ଥର ପାଇଁ ବଢିଥିଲା ବିଧାୟକଙ୍କ ଦରମା ।