ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ରାମେଶ୍ବର ମନ୍ଦିର ଅଭିମୁଖେ ଟାଣିନେଉଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲିଙ୍ଗରାଜଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଛି ରଥଟଣା । ରୁକୁଣା ରଥଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର । ପୋଲିସ ଓ ସ୍ୱେଚ୍ଛାସେବୀଙ୍କ କର୍ଡନରେ ଜାରି ରହିଛି ରଥଟଣା । ରୁକୁଣା ରଥଟଣାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ଝିପି ଝିପି ବର୍ଷା ସତ୍ତ୍ୱେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥକୁ ଟାଣିବାକୁ ଓ ଯାତ୍ରାରେ ସାମିଲ ହେବା ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

ଆଜି ସନ୍ଧ୍ୟା ୭ଟା ସୁଦ୍ଧା ରାମେଶ୍ବର ମନ୍ଦିରରେ ରୁକୁଣା ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି । ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଛି । ସୁରକ୍ଷା ଦାୟିତ୍ବରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି । ପାଞ୍ଚ ଦିନ ଧରି ଆୟୋଜିତ ଯାତ୍ରାରେ ରଥ ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରି ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିର ନିକଟକୁ ଯାଇଥାଏ । ଏହି ପାଞ୍ଚ ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ।