ନାମାଙ୍କନ ଭରିବେ ବିଜେଡିର ରୁଦ୍ର ଓ କଂଗ୍ରେସର ଅଜିତ୍
1 min readପୁରୀ: ପିପିଲି ବିଧାନସଭା ଆସନ ଲାଗି ଆଜି ନାମାଙ୍କନ ଭରିବେ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ନାମାଙ୍କନ ପତ୍ର । ସକାଳ ସାଢେ ୯ଟାରେ ପିପିଲି ବିଜେଡି ଅଫିସରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିବେ । ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍ ଏବଂ ଏନ୍ଏସି ଦାୟିତ୍ବ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା, ଛାତ୍ର ଓ ଯୁବ ସାମ୍ମୁଖ୍ୟକୁ ଏଥର ଦିଆଯାଇଛି ଅଧିକ ଗୁରୁତ୍ବ ।
ପିପିଲି ଉପ-ନିର୍ବାଚନ ନେଇ ବିଜେଡି ପକ୍ଷରୁ ରୁଦ୍ରଙ୍କ ନାମ ଘୋଷଣା ପରେ ଗତ ୨୮ ତାରିଖରେ ନବୀନ ନିବାସ ଯାଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ୍ ଗ୍ରହଣ କରିଥିଲେ । ତାଙ୍କ ସହ ଭଉଣୀ ଓ ଭିଣୋଇ ମଧ୍ୟ ନବୀନ ନିବାସ ଯାଇଥିଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର ।
ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ଭରିବେ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ ଅଜିତ୍ । ତେବେ ଅଜିତ ମଙ୍ଗରାଜଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିବା ପରେ ପୁଣି ମୁଣ୍ଡ ଟେକିଛି ଦଳୀୟ କନ୍ଦଳ । ଅନ୍ୟତମ ଟିକେଟ ଆଶାୟୀ ଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପଛରେ ପିସିସି ସଭାପତିଙ୍କ ଷଡ଼ଯନ୍ତ୍ର ବାରିଛନ୍ତି ପୂର୍ଣ୍ଣ । ଗତ ନିର୍ବାଚନରେ ମାତ୍ର ୯ ହଜାର ୮୩୦ ଭୋଟ୍ ପାଇଥିବା ଅଜିତଙ୍କ ଉପରେ ଦଳ ପୁଣି ବିଶ୍ବାସ କରିବା, ପିପିଲି କଂଗ୍ରେସକୁ ଆଚମ୍ବିତ କରିଛି ।