ପ୍ରଶାସନ ବଦଳାଇଲା ଟୀକାଦାନ ନିୟମ, ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଲୋକେ

ବାଲେଶ୍ବର: ଅଫଲାଇନ୍‌ ବଦଳରେ ଅନ୍‌ଲାଇନ୍‌ ଟୀକାଦାନକୁ ବିରୋଧ । ସୁନହଟ ମେଡ଼ିକାଲରେ ସ୍ବାସ୍ଥ୍ୟକର୍ମୀଙ୍କୁ ଘରେ ପୁରାଇ ତାଲା ମାରିଦେଲେ ଲୋକେ । ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାଦାନକୁ ନେଇ ହଟ୍ଟଗୋଳ ।  ଗତକାଲି ଅଫଲାଇନ୍‌ରେ ଟୀକା ଦିଆ ଯାଉଥିବାବେଳେ, କୌଣସି ପୂର୍ବ ସୂଚନା ନଦେଇ ଆଜି ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଥିବା ଲୋକଙ୍କୁ ଟୀକା ଦେବାକୁ ନିଷ୍ପତ୍ତି ହୋଇଛି ।

ଫଳରେ ଟୀକା ନେବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ମେଡ଼ିକାଲରେ ପହଞ୍ଚିବା ପରେ ସେମାନଙ୍କୁ ଟୀକା ଦିଆଯାଇନଥିଲା । ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇ ଦେଇଛନ୍ତି ।  ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଥିବା ହିତାଧିକାରୀଙ୍କୁ ଟୀକା ଦିଆଯିବାକୁ ଜିଲ୍ଲା ପ୍ରଶାସନ ନୂଆ ନିଷ୍ପତ୍ତି ନେଇଛି । କେବଳ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀଙ୍କୁ ଅଫ୍‌ଲାଇନ୍‌ରେ ଟୀକା ଦେବାକୁ ସୁଯୋଗ ଦିଆଯାଇଛି ।

ଶୁକ୍ରବାର ଠାରୁ ରାଜ୍ୟରେ ମାଗଣାରେ ୧୮ ରୁ ୫୭ ବର୍ଷୀୟଙ୍କୁ ବୁଷ୍ଟର ଡୋଜ ଟୀକା ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ପ୍ରତି ଟୀକାକରଣ କେନ୍ଦ୍ରରେ ଭିଡ ପରିଲିଖିତ ହୋଇଛି  । ମାତ୍ର ବାଲେଶ୍ବର ଜିଲ୍ଲା ପ୍ରଶାସନର ଅନଲାଇନ ନିୟମ ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।