ବିଦେଶୀ ଷଡ଼ଯନ୍ତ୍ର ଦାବି ମିଛ ! ଇମ୍ରାନଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ ସେନାଙ୍କ ଭରସା ନାହିଁ

ଇସଲମାବାଦ୍: ମିଛ କି ବିଦେଶୀ ଷଡ଼ଯନ୍ତ୍ରର ଅଧ୍ୟାୟ । ମିଛ କହି ନିଜ ସରକାର ବଞ୍ଚାଇ ଦେଇଛନ୍ତି କି ଅମ୍ରାନ । ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଏହି ପରିସ୍ଥିତିରେ ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି । ଇମ୍ରାନଙ୍କ ବିଦେଶୀ ଷଡ଼ଯନ୍ତ୍ର କାହାଣୀକୁ ସିଧାସଳଖ ମିଛ ନକହି ଏମିତି ଇଙ୍ଗିତ କରିଛନ୍ତି ସେନାଧିକାରୀ । ଯେଉଁଠାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ରାଜନୈତିକ ସଙ୍କଟ ପଛରେ ଆମେରିକାକୁ ଦାୟୀ କରୁଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନୀ ସେନାର ଜେନେରାଲ କମର ବାଜୱା ଆମେରିକାର ପ୍ରଶଂସା କରୁଛନ୍ତି ।

ଆମେରିକାର ପ୍ରଶଂସା କରୁଥିବାବେଳେ ବାଜୱା କହିଛନ୍ତି ଯେ ଆମର ଆମେରିକା ସହ ଭଲ ସମ୍ପର୍କ ଅଛି । ଏଥି ସହିତ ଜେନେରାଲ ବାଜୱା ମଧ୍ୟ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସମାଲୋଚନା କରିଛନ୍ତି । ବାଜୱା କହିଛନ୍ତି ଯେ ଆମେରିକା ସହିତ ଆମର ଐତିହାସିକ, ରଣନୀତିକ ସମ୍ପର୍କ ଅଛି । ଅନେକ ଜରୁରୀକାଳୀନ ପରିସ୍ଥିତିରେ ଆମେରିକା ଆମକୁ ବହୁତ ସାହାଯ୍ୟ କରିଛି ।

ଇମ୍ରାନ କ’ଣ କହିଥିଲେ ?

ଆମେରିକାର ନାଁ ନେଇ ଇମ୍ରାନ ଖାନ ଦାବି କରିଛନ୍ତି ଯେ ଆମେରିକାରୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି । ସେହି ଚିଠି ମୋ ବିରୁଦ୍ଧରେ ଥିଲା । ସେ କହିଛନ୍ତି ଯେ ଚିଠିରେ ଅବିଶ୍ୱସ ପ୍ରସ୍ତାବ ବିଷୟରେ ଆଲୋଚନା ହୋଇଛି । ଚିଠିରେ କୁହାଯାଇଛି ଯେ ଯଦି ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରୁହନ୍ତି, ତେବେ ଆପଣଙ୍କ ଦେଶ ସହ ଆମର ସମ୍ପର୍କ ନଷ୍ଟ ହୋଇଯିବ । ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଇମ୍ରାନ ଖାନ ପଦ ଛାଡ଼ନ୍ତି ତେବେ ସେ ପାକିସ୍ତାନକୁ କ୍ଷମା କରିବେ । ଏହା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ଯାହାକୁ ବିଦେଶ କରିଛି ।

ଆମେରିକାର ପ୍ରତିକ୍ରିୟା କ’ଣ ଥିଲା ?

ଏହି ପରିପ୍ରେକ୍ଷୀରେ ୱାଶିଂଟନରେ ଆମେରିକାର ବୈଦେଶିକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଆମେରିକା ପାକିସ୍ତାନରେ ସାମ୍ବିଧାନିକ ପ୍ରକ୍ରିୟାକୁ ସମର୍ଥନ କରୁଛି । ଇମ୍ରାନ ଖାନଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଅଧିକାରୀ କହିଛନ୍ତି ଯେ ଆମେ ପାକିସ୍ତାନର ସାମ୍ବିଧାନିକ ପ୍ରକ୍ରିୟା ଏବଂ ଆଇନଗତ ଶାସନକୁ ସମ୍ମାନ ଏବଂ ସମର୍ଥନ କରୁଛୁ ।

ସୂଚନା ଥାଉ କି, ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ହୋଇଥିଲା । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଥିଲେ ଉପବାଚସ୍ପତି । ବିଦେଶୀ ରାଷ୍ଟ୍ରର ଷଡ଼ଯନ୍ତ୍ର ଦର୍ଶାଇ ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଥିଲେ ।