ରୁବି ମାୟର୍ସ: ଅଭିନେତା ୧୦୦ ଟଙ୍କା ପାଉଥିବା ବେଳେ ସେ ପାଉଥିଲେ ୫ହଜାର
ମୁମ୍ୱାଇ: ମଇ ୩ରେ ବଲିଉଡ୍କୁ ପୂରିବ ୧୦୯ ବର୍ଷ । ଏହି ଦିନ ଭାରତୀୟ ଚଳଚ୍ଚିତ୍ର ରାଜା ହରିଶ୍ଚଚନ୍ଦ୍ର ରିଲିଜ୍ ହୋଇଥିଲା । ଏହି ଅବସରରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପ୍ରଥମ ସୁପରଷ୍ଟାର ରୁବି ମାୟର୍ସଙ୍କ କାହାଣୀ ।
ରୁବି ମାୟର୍ସଙ୍କ ବା ସୁଲୋଚନାଙ୍କୁ ଭାରତୀୟ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ବୋଲି କୁହାଯାଏ । ଅତି ସୁନ୍ଦର ଦେଖାଯାଉଥିବା ରୁବି ନିଜ ଅଭିନୟ ସହିତ ବୋଲ୍ଡନେସ୍ ପାଇଁ ସମସ୍ତଙ୍କ ଠାରୁ ବେଶ ଆଗରେ ଥିଲେ । ତାଙ୍କ ପୂର୍ବରୁ କିଛି ମହିଳା ଫିଲ୍ମ ଲାଇନ୍କୁ ଆସିଥିଲେ କିନ୍ତୁ ରୁବି ନିଜ ଦମରେ ପ୍ରଥମ ମହିଳାର ସୁପରଷ୍ଟାର ହୋଇପାରିଥିଲେ । ସେତେବେଳେ ଭାରତରେ କେବଳ ମୁକ ଚଳଚ୍ଚିତ୍ର ହିଁ ନିର୍ମାଣ ହେଉଥିଲା । ଫିଲ୍ମରେ ନା ଡାଇଲଗ ଥିଲା ନା ଗୀତ । ତଥାପି ବଡ଼ ପରଦାରେ ରୁବିଙ୍କ ଜଲଓ୍ୱା ଦର୍ଶକଙ୍କୁ ବାନ୍ଧି ରଖୁଥିଲା । କ୍ରେଜ ଏଭଳି ଥିଲା ଯେ, ଯେଉଁଠାରେ ବଡ଼ ବଡ଼ ଅଭିନେତା ମାତ୍ର ୧୦୦ ଟଙ୍କା ପାରିଶ୍ରମିକ ବାବଦକୁ ପାଉଥିବା ବେଳେ ରୁବି ପ୍ରତି ଫିଲ୍ମ ବାବଦକୁ ୫ହଜାର ଟଙ୍କା ପ୍ରାପ୍ୟ ପାଉଥଇଲେ । ସେ ସମୟରେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଦରମା ମଧ୍ୟ ତାହାଠାରୁ ବହୁ କମ୍ ଥିଲା । ୧୯୨୫ରେ ଫିଲ୍ମ ଜଗତରେ ପାଦ ଥାପିଥିବା ରୁବିଙ୍କ ୬୫ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ୧୦୭ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ।
ଯେତେବେଳେ ସାଉଣ୍ଡ ଫିଲ୍ମର ଯାତ୍ରା ଆରମ୍ଭ ହେଲା, ରୁବି ଟିକେ ପଛୁଆ ପଡ଼ିଗଲେ । ମୂଳତ ସେ ବ୍ରିଟିଶର ହୋଇଥିବା ହେତୁ ସେ ହିନ୍ଦୀରେ ବହୁତ ଦୁର୍ବଳ ଥିଲେ । ଏଣୁ ତାଙ୍କୁ ସାଉଣ୍ଡ ଫିଲ୍ମ ଗୁଡ଼ିକରେ ଅଣଦେଖା କରାଗଲା । ଏଣୁ ସେ ପ୍ରାୟ ୧ବର୍ଷର ବ୍ରେକ ନେଇ ହିନ୍ଦୀ ଭାଷରେ ନିଜ ଦଖଲକୁ ମଜବୁତ୍ କରିଥିଲେ । ଏବଂ ପରେ ସେ ନିଜ ପ୍ରଡକସନ୍ କମ୍ପାନୀ ରୁବି ପିକ୍ ଆରମ୍ଭ କଲେ ଏବଂ ବନିଗଲେ ହାଏଷ୍ଟ ପେଡ୍ ଆକ୍ଟ୍ରେସ୍ ।
ସେତେବେଳର ସମୟରେ ଅଭିନୟକୁ ଅସଭ୍ୟ ପେଶା ଭାବେ ବିବେଚନା କରାଯାଉଥିଲା । କିନ୍ତୁ ରୁବିଙ୍କ ସୁନ୍ଦରତା ମୋହିତ ହୋଇସାରିଥିବା ମୋହନ ଭବନାନି ଜିଦ୍ ଧରିଲେ, ତାଙ୍କୁ ସିନେମାରେ ନେବା ପାଇଁ ଏବଂ ଶେଷରେ ସଫଳ ହୋଇଥିଲେ । ତେବେ ତାଙ୍କ ନିକଟରେ ଅଭିନୟର କୌଣସି ଅଭିଜ୍ଞତା ନଥିଲା । ସେତେବେଳେ ମୁକ ଫିଲ୍ମ ଗୁଡ଼ିକ ରିଲିଜ୍ ହେଉଥିଲା କୌଣସି ଡାଏଲଗ୍, ଗୀତ କିମ୍ୱା ସାଉଣ୍ଡର ବ୍ୟବହାର ହେଉନଥିଲା ।
ରୁବି ୧୯୨୫ରେ ରିଲିଜ୍ ଚଳଚ୍ଚିତ୍ର ବୀର ବାଲାରୁ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ଭବନାନିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ରୁବିଙ୍କୁ ଷ୍ଟାର ବନାଇଦେଲା । କିନ୍ତୁ କିଛି ଫିଲ୍ମ ପରେ ସେ ଇମ୍ପରିୟଲ୍ ନାମକ ଏକ ଫିଲ୍ମ କମ୍ପାନୀରେ ଯୋଗ ଦେଇଥିଲେ ଏବଂ ସେହି କମ୍ପାନୀ ସହ ପ୍ରାୟ ୩୭ ଚଳଚ୍ଚିତ୍ର କରିଥିଲେ । ଟାଇପିଷ୍ଟ ଗାର୍ଲ, ବଳିଦାନ, ଓ୍ୱାଇଲ୍ଡ କେଟ୍ ଅଫ୍ ବମ୍ୱେ ଦର୍ଶକଙ୍କ ଦ୍ୱାରା ବେଶ୍ ପସନ୍ଦ କରାଯାଇଥିଲା । ଫିଲ୍ମ ମାଧୁରୀ, ଅନାରକଲି ଏବଂ ଇନ୍ଦିରା ବିଏ ଭଳି ଚଳଚ୍ଚିତ୍ର ରୁବିଙ୍କୁ ସଫଳ ଅଭିନେତ୍ରୀ ଭାବେ ପରିଗଣିତ କରାଇଥିଲା ।
୧୯୭୨ରେ ସୁଲୋଚନାଙ୍କୁ ଭାରତୀୟ ସିନେମାରେ ଦେଇଥିବା ଯୋଗଦାନ ନେଇ ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନୀୟ ଦାଦା ସାହେବ ଫାଲ୍କେ ଆଓ୍ୱାର୍ଡ ପୁରସ୍କାର ଦିଆଯାଇଥିଲା । ପରେ ୧୦ ଅକ୍ଟୋବର ୧୯୮୩ ମସିହାରେ ବାର୍ଦ୍ଧକ୍ୟ ଯୋଗୁଁ ଅଲୋଡ଼ା ହୋଇପଡ଼ିଥିବା ରୁବିଙ୍କ ଦେହାନ୍ତ ହୋଇଥିଲା ।