ଜରିମାନା ଟଙ୍କାକୁ ନେଇ ଆର୍‌ଟିଆଇ ତଥ୍ୟରୁ ମିଳିଲା ସାଂଘାତିକ ତଥ୍ୟ, ଆଦାୟ ହେଉଛି ୨୦୦ ଜମା ହେଉଛି ୧୦୦

କଟକ: ମିଳିମିଶି ଖାଇଗଲେ ଜରିମାନା ଟଙ୍କା । ଆଦାୟ ହୋଇଛି ୨୦୦ ଜମା ହୋଇଛି ୧୦୦ । ଆର୍‌ଟିଆଇ ତଥ୍ୟରୁ ମିଳିଲା ଏଭଳି ସାଙ୍ଘାତିକ ପ୍ରମାଣ । ଏନେଇ କଟକ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି । ଲକ୍‌ଡାଉନ ଓ ସଟ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଫାଇନ ଆଦାୟ କରିଥିଲା ପୋଲିସ । କିନ୍ତୁ ଅର୍ଥ ହେରଫେର ହୋଇଥିବାର ଗୁରୁତର ଅଭିଯୋଗ ଆସିଛି ।

 

ଗତ ଜୁଲାଇ ୨୦ତାରିଖରେ କଟକର ସୁଜିତ ସାହୁ ବିନା ପରିଚୟପତ୍ରରେ ବୁଲୁଥିବାରୁ ତାଙ୍କଠାରୁ ପୋଲିସ ୨୦୦ ଟଙ୍କା ଜୋରିମାନା ନେଇଥିଲା । ହେଲେ ଜରିମାନା ଟଙ୍କା ହେରଫେର ହୋଇଥିବା ସେନ୍ଦହ କରି ସୂଚନା ଅଧିକାର ଆଇନ୍ ବଳରେ ସୁଜିତ ତଥ୍ୟ ମାଗିଥିଲେ । ୨ଶହ ଟଙ୍କା ଜରିମାନା ଆଦାୟ ହୋଇଥିଲେ ବି ସରକାରୀ ତହସିଲରେ ଶହେ ଟଙ୍କା ଜମା ହୋଇଥିବା ଆର୍‌ଟିଆଇ ଆଇନ ବଳରେ ତଥ୍ୟ ମିଳିଛି  ।

 

ଶହେ ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ସରକାରୀ ଅଫିସ୍‌ରେ ଜମା ହୋଇଥିବା ମୁଣ୍ଡା ରସିଦରେ ଓଡ଼ିଶା ସରକାର ବା ସଂକ୍ଷେପରେ ଓଜିପି ଲେଖା ଅଛି । କିନ୍ତୁ ସୁଜିତଙ୍କୁ ଦିଆଯାଇଥିବା ରସିଦରେ ଓଜିପି ଲେଖାଯାଇନାହିଁ । ତେଣୁ ସରକାରୀ ରସିଦର ନକଲ ଛପାଇ ଟଙ୍କା ଆତ୍ମସାତ କରାଯାଇଥିବା ସନ୍ଦେହ ଦୃଢୀଭୂତ ହୋଇଛି  । ଅଭିଯୋଗ ପାଇଭା ପରେ କଟକ ଡିସିପି କହିଛନ୍ତି, ଘଟଣା ସଂପର୍କରେ ତଦନ୍ତ କରାଯିବ । ହାଣ୍ଡିର ଗୋଟିଏ ଭାତ ପରଖିଲା ଭଳି କେତେ ଫାଇନ୍‌ ଯେ ଆତ୍ମସାତ୍‌ ହୋଇଥିବ, ଏହି ଗୋଟିଏ ଘଟଣାରୁ ସେଭଳି ସନ୍ଦେହ ଦୃଢ଼ୀଭୂତ ହୋଇଛି  ।

Leave a Reply