ଘରୋଇ ସ୍କୁଲରେ ପ୍ରହସନ ପାଲଟିଛି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ
1 min read
ଭୁବନେଶ୍ବର: ଘରୋଇ ସ୍କୁଲଗୁଡ଼ିକରେ ଏବେ କେବଳ ପ୍ରହସନ ପାଲଟିଛି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ ସଂରକ୍ଷଣ । ଘରୋଇ ସ୍କୁଲ ଗୁଡିକ ଛାତ୍ରଛାତ୍ରୀଙ୍କୁ ମାଗଣା ଆଡମିଶନ କରାଇବା ବଦଳରେ ଜାଣିଶୁଣି ପ୍ରକ୍ରିୟାକୁ ବିଳମ୍ବିତ କରୁଥିବା ଅଭିଭାବକ ମହାସଂଘ ଅଭିଯୋଗ କରିଛି । ଏହାସହ ଏହି ଅନ୍ୟାୟକୁ ବିରୋଧ କରି ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଶିକ୍ଷା ଅଧିକାର ଆଇନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଗୁଡ଼ିକ ଏ ପ୍ରସଙ୍ଗରେ ସରକାର ବିଶେଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ପାରଦର୍ଶୀ ପୋର୍ଟାଲରେ ଆବେଦନରେ ମହାଘୋଟଲା । ଆବେଦନ ଓ ରେଜିଷ୍ଟ୍ରେସନ ସମୟ ଅବଧିକୁ ବିରୋଧ । ଗରିବ ପିଲାଙ୍କୁ ଆଡମିଶନରୁ ବାହାର କରିଦେବାକୁ ଚକ୍ରାନ୍ତ । ଜାତୀୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ଅଭିଭାବକ ମହାସଂଘ । ଶିକ୍ଷା ଅଧିକାର ଆଇନ ବଳରେ ଘରୋଇ ସ୍କୁଲରେ ଗରିବ ପିଲାମାନେ ପାଠ ପଢ଼ିବା ପାଇଁ ପାରଦର୍ଶୀ ପୋର୍ଟାଲରେ ଆବେଦନରେ ବଡ଼ ଘୋଟଲା ଅଭିଯୋଗ ହୋଇଛି । ଏହି ପୋର୍ଟାଲରେ ଗରିବ ପିଲାଙ୍କ ଆବେଦନ ପାଇଁ ମାତ୍ର ୧୭ ଦିନ ରଖାଯିବା ଓ ଘରୋଇ ସ୍କୁଲର ରେଜିଷ୍ଟ୍ରେସନ ପାଇଁ ୭୦ ଦିନ ଦିଆଯିବାକୁ ଜୋରଦାର ବିରୋଧ କରିଛି ଅଭିଭାବକ ମହାସଂଘ । ଏହି ଅନ୍ୟାୟ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ମହାସଂଘ । ମାନବାଧିକାର କମିଶନ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ପିଲାଙ୍କ ଆବେଦନ ପ୍ରକ୍ରିୟାକୁ ତୁରନ୍ତ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଗରିବ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶିକ୍ଷା ଅଧିକାର ଆଇନର ବିପରୀତ କାମ କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଲଢ଼େଇର ଚେତାବନୀ ଦିଆଯାଇଛି । କାରଣ ପୂର୍ବ ପ୍ରକ୍ରିୟା ଅପେକ୍ଷା ନୂତନ ପ୍ରକ୍ରିୟାରେ ପିଲାମାନଙ୍କର ଆଡମିସନ ସରିବା ବେଳକୁ ଜୁନ ଶେଷ ହୋଇଯିବ l ପିଲାଙ୍କ ତିନି ମାସ ସମୟ ବରବାଦ ହେବ । ପ୍ରକ୍ରିୟା ଯେତିକି ବିଳମ୍ବ ହେବ ଘରୋଇ ସ୍କୁଲମାନେ ତାର ସୁଯୋଗ ନେଇ ଅନ୍ୟ ପିଲାଙ୍କୁ ଆଡମିସନ କରାଇ ନେବେ ।
ପୂର୍ବ ବର୍ଷମାନଙ୍କରେ ମଧ୍ୟ ସରକାରୀ ଅଧିକାରୀଙ୍କ ପରୋକ୍ଷ ସହାୟତାରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ଏଭଳି ଘୋଟାଲା କରିଆସୁଛନ୍ତି । ଶହ ଶହ ଅଭିଭାବକ ଆଡମିସନ ପାଇଁ ସ୍କୁଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ଅସାଧୁ ବା ମୁନାଫାଖୋର ମନୋଭାବ ଥିବା ଅଫିସରଙ୍କ ଯୋଗୁଁ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି । ଗରିବ ପିଲାମାନେ ସଠିକ ସ୍କୁଲ ଓ ସଠିକ ସମୟରେ ଆଡମିସନ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଶିକ୍ଷା ଅଧିକାର ଆଇନ କିଭଳି ସଠିକ ଢଙ୍ଗରେ ରାଜ୍ୟରେ କାର୍ଯ୍ୟକାରୀ ହେବ ସେ ଦିଗରେ ଧ୍ୟାନ ଦେଇ ସରକାର କାର୍ଯ୍ୟ କରନ୍ତୁ ବୋଲି ଦାବି ହୋଇଛି ।
ଘରୋଇ ସ୍କୁଲରେ ସ୍ୱଚ୍ଛ ଓ ପର୍ଯ୍ୟାପ୍ତ ଭାବେ ଅଭିଭାବକଙ୍କ ସ୍ୱାର୍ଥରେ ଯୋଜନାର ଶତ ପ୍ରତିଶତ ରୂପାୟନ ପାଇଁ ସରକାର ସ୍ୱତନ୍ତ୍ର ମନିଟରିଂ ବ୍ୟବସ୍ଥା ପାଇଁ ଦାବି ହୋଇଛି । ସ୍କୁଲମାନଙ୍କର ସ୍ୱୀକୃତି ତିନି ବର୍ଷରୁ ପାଞ୍ଚ ବର୍ଷ ପାଇଁ ପାଇଥାନ୍ତି । ସେମାନେ ପୋର୍ଟାଲ ମାଧ୍ୟମରେ ପୂର୍ବରୁ ବର୍ଷ ବର୍ଷ ଧରି ପିଲାଙ୍କୁ ମଧ୍ୟ ଆରଟିଇ କୋଟାରେ ପାଠ ପଢ଼ାଉଛନ୍ତି । ସେମାନଙ୍କୁ ପୁଣି ଏପରି ପଞ୍ଜିକରଣ ଆବଶ୍ୟକ କଣ ବୋଲି ପ୍ରଶ୍ନ ହୋଇଛି ।