ବିଶେଷ ନୀତି ଦିବସରେ ସେବାୟତ, ପୋଲିସ କର୍ମଚାରୀ ଓ ଅଫିସରଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

1 min read

ପୁରୀ: ପାଖେଇ ଆସିଲାଣି ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଏକପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଯାତ୍ରା କରିବା ନେଇ ସେବାୟତମାନେ ଉତ୍ସାହିତ ଥିବାବେଳେ ସୁରକ୍ଷା ପାଇଁ ବ୍ୟାରିକେଡ଼ ନିର୍ମାଣ ଆରମ୍ଭ ହୋଇଛି । ୪୮ଘଣ୍ଟା ପୂର୍ବରୁ ସମସ୍ତ ସେବାୟତ, କର୍ମଚାରୀ, ପୋଲିସ ଓ ଅଫିସରମାନଙ୍କ କୋଭିଡ ଆରଟିପିସିଆର ଟେଷ୍ଟ ବାଧ୍ୟତା ମୂଳକ । ସେପଟେ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ୧୪ ନାହାକା ଓ ଭୂଇଁ ନିର୍ମାଣ ଶେଷ ହୋଇଛି ।

ପାଖେଇ ଆସିଲାଣି ମହାପ୍ରଭୁଙ୍କ ଘୋଷଯାତ୍ରା । ବିଶେଷ ନୀତି ଦିବସର ୪୮ ଘଣ୍ଟା ପୂର୍ବରୁ ସବୁ ସେବାୟତ, କର୍ମଚାରୀ, ପୋଲିସ ଓ ଅଫିସରଙ୍କ ହେବ RT-PCR ଟେଷ୍ଟ । ସ୍ନାନ, ଶ୍ରୀଗୁଣ୍ଡିଚା, ବାହୁଡା ଓ ନୀଳାଦ୍ରିବିଜେ ୪ଟି ଯାତ୍ରା ପୂର୍ବରୁ ୪ ଥର ହେବ RT-PCR ଟେଷ୍ଟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ । ଏହାସହ ରଥ ଟାଣିବାକୁ ଥିବା ସେବକଙ୍କ ଉପରେ ଗୁରୁତ୍ୱ ଦିଆଯିବା ସହ ରଥଯାତ୍ରା ସମୟରେ ମାଇକ୍ରୋ ପ୍ଲାନ ଅନୁଯାୟୀ ମେଡିକାଲ ପୋଷ୍ଟ ଗଠନ କରାଯିବ । ବ୍ୟାପକ ମାତ୍ରାରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନକୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଲ୍ଲାପାଳ, ଏସ୍‌ପି, ଅନ୍ୟାନ୍ୟ ଅଧିକରୀ ଓ ସେବାୟତ ଉପସ୍ଥିତ ଥିଲେ । ସେପଟେ ସ୍ନାନଯାତ୍ରା ପାଇଁ ବଡଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବ୍ୟାରିକେଡ଼ ପୋତା ଆରମ୍ଭ ହୋଇଛି । ପ୍ରଶାସନର ନିୟମ ଅନୁସାରେ ସହଯୋଗ କରି ଯାତ୍ରା ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ ।

ସେପଟେ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ଚଳିତ ବର୍ଷ ରଥ ନିର୍ମାଣ ବିଗତ ବର୍ଷ ମାନଙ୍କ ଅପେକ୍ଷା ବେଶ ଆଗୁଆ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ଚାରି ନାହାକା ଉଠି ଛନ୍ଦା ଗୟଳ ମୋଡା କାର୍ଯ୍ୟ ଶେଷ ହୋଇଛି । ୧୪ନାହାକା ଓ ଭୂଇଁ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ରୂପକାର ସେବକ ମାନେ ନାଟ ଗୋଡ଼ରେ ରାହୁ ରୂପ ଅଙ୍କନ କାର୍ଯ୍ୟ ଜାରି ରଖିଛନ୍ତି । ଜୁଲାଇ ୧୨ରେ  ରଥଯାତ୍ରା । ଆସନ୍ତା ୨୪ ତାରିଖରେ ସ୍ନାନଯାତ୍ରା । ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ସେବକ ଓ କର୍ମଚାରୀଙ୍କ ଟିକାକରଣ ଉପରେ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ରକ୍ତ ଅଭାବରୁ ଗୁରୁତର ଥିଲେ ପ୍ରସୂତି: ସୋସିଆଲ ମିଡିଆରେ ଖବର ପାଇଁ ପହଞ୍ଚିଲେ ସ୍ୱେଚ୍ଛାସେବୀ

Leave a Reply