ରାଉରକେଲାରେ ଗ୍ୟାସ ଲିକ୍ ଘଟଣା, ଆଉ ଜଣେ ଅଧିକାରୀ ନିଲମ୍ବିତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଗ୍ୟାସ ଲିକ୍ ଘଟଣାରେ ଆଉ ଜଣେ ଅଧିକାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସେଫ୍‌ଟି ବିଭାଗ ସହାୟକ ମ୍ୟାନେଜର ସ୍ମୃତି ରଞ୍ଜନ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ଏହି ଗ୍ୟାସ୍‌ ଲିକ୍‌ ଘଟଣାରେ ଗତକାଲି ୨ ଜଣ ଡିଜିଏମଙ୍କୁ ନିଲମ୍ବନ କରାଯାଇଥିଲା। ଅନ୍ୟପଟେ ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାର ତଦନ୍ତ ଚାଲିଛି। କାରଖାନା ଓ ବାଷ୍ପିତ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି । ଡେପୁଟି ଡାଇରେକ୍ଟର ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗ୍ୟାସ୍‌ ପାଇପ୍‌ ଲାଇନ ମରାମତି ସମୟରେ ଗ୍ୟାସ୍ ଲିକ୍ ହୋଇ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ମରାମତି ଚାଲିଥିବା ବେଳେ ଗ୍ୟାସ ଲିକ୍ ହେବାରୁ ୪ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

ତେବେ ୪ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ପରେ ଶ୍ରମିକ ସଙ୍ଗଠନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । କଣ ପାଇଁ ନିଲମ୍ବିତ ଅଧିକାରୀଙ୍କୁ ଗିରଫ କରାଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରମିକ ସଙ୍ଗଠନ ।

ସେହିପରି ଅଧିକାରୀଙ୍କ ବିରୋଧରେ କାହିଁକି ହତ୍ୟା ମାମଲା ହେବ ନାହିଁ । ଗ୍ୟାସ ପାଇପ୍ ମରାମତି ସମୟରେ ଠିକା ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦିଆଯାଇଥିଲା ନାନାହିଁ । ଏଭଳି ପ୍ରଶ୍ନ କରିଛି ଶ୍ରମିକ ସଙ୍ଗଠନ।

ସୂଚନାଯୋଗ୍ୟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର କୋଲ୍ କେମିକାଲ ଡିପାର୍ଟମେଣ୍ଟ ବା ସିସିଡି ବିଭାଗରେ ଗତ ବୁଧବାର ଦିନ ଗ୍ୟାସ ଲିକ୍ ହେବା ଫଳରେ ବହୁ କର୍ମଚାରୀ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଗୁରତର ଅବସ୍ଥାରେ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ଗ୍ୟାସ୍ ଲିକର କାରଣ ଅସ୍ପଷ୍ଟ ଥିବା ବେଳେ ଆରଏସପିର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

Leave a Reply