ନକଲି ଔଷଧ ଚଢ଼ାଉ: ୩୦ ଲକ୍ଷ ଟଙ୍କାର ଟେଲମା ୪୦ ଜବତ

1 min read

କଟକ: ଅସଲି ବ୍ରାଣ୍ଡରେ ନକଲି ଔଷଧ ବିକ୍ରି ନେଇ ରାଜଧାନୀରୁ ଅଭିଯୋଗ ଆସିବା ପରେ ଆକ୍ଟିଭ୍ ମୁଡରେ ଡ୍ରଗ୍ କଣ୍ଟ୍ରୋଲର୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଔଷଧ ଦୋକାନରେ ଚାଲିଛି ଚଢ଼ାଉ । ଜବତ ହେଉଛି ଟେଲମା ୪୦ ସହ ଅନ୍ୟ କିଛି ଔଷଧ ।

ଖବର ଅନୁସାରେ ଅନ୍ୟ ସ୍ଥାନ ଭଳି କଟକରେ ମଧ୍ୟ ଚାଲିଛି ମାରାଧନ ଚଢ଼ାଉ । ସହରର ବିଭିନ୍ନ ହୋଲସେଲ୍ ଓ ରିଟେଲ ମେଡିସିନ ଦୋକାନରେ ଯାଞ୍ଚ କରାଯାଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ଟେଲମା ୪୦ ଓ ଅନ୍ୟ ମେଡିସିନ ଜବତ କରିବା ସହ ତାର ବିକ୍ରି ବନ୍ଦ କରାଯାଇଛି । ଯାଞ୍ଚ ପ୍ରକ୍ରିୟାରେ ଔଷଧ ବ୍ୟବସାୟ ବହୁଳ ଭାବେ ପ୍ରଭାବିତ ହୋଇଛି । ଯାଞ୍ଚ କରାଯାଉଥିବା ଏଜେନ୍ସିର ଔଷଧ ବିକ୍ରିକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । କଟକର ଭିଆର ଡ୍ରଗ ଏଜେନ୍ସି, ପୂଜା ଏଣ୍ଟରପ୍ରାଇଜର୍ସ ଭଳି ଏଜେନ୍ସି ଜବତ ହୋଇଥିବା ମେଡିସିନ୍ କିଣିଥିଲେ । ଏନେଇ ସମସ୍ତ ତଥ୍ୟ ସେମାନେ ବିଭାଗକୁ ଦେଇଥିବା କହିଛନ୍ତି ।

ଭୁବନେଶ୍ବରରେ ୩ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଜାରି ରହିଛି ଚଢ଼ାଉ । ଗ୍ଲେନମାର୍କ କମ୍ପାନୀର ଲୋଗୋ ବ୍ୟବହାର କରି ଟେଲମା ୪୦ ଓ ଟେଲମା AM ଔଷଧର ନକଲି କରି ବଜାରକୁ ଛଡ଼ାଯାଇଥିବା ଜଣାପଡିବା ପରେ ଚାଲିଛି ଚଢ଼ାଉ । ସେହିପରି ସମ୍ବଲପୁରର ବିଭିନ୍ନ ମେଡିସିନ ଦେକାନରେ ମଧ୍ୟ ଚଢ଼ାଉ ହୋଇଛି ।