UPSC CSE-2023 ପରୀକ୍ଷା ଫଳ ପ୍ରସଙ୍ଗ, ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ଉପରେ ୨ ଲକ୍ଷ ଟଙ୍କାର ଜରିମାନା

1 min read

ନନ୍ଦିଘୋଷ ବ୍ୟୁରୋ: ୟୁପିଏସସି ସିଏସଇ-୨୦୨୩ ପରୀକ୍ଷା ଫଳ ନେଇ ବିଭ୍ରାନ୍ତିକର ତଥ୍ଯ ପ୍ରସାରଣ ପ୍ରସଙ୍ଗ । ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ଉପରେ ୨ ଲକ୍ଷ ଟଙ୍କାର ଜରିମାନା । କେନ୍ଦ୍ରୀୟ ଉପଭୋକ୍ତ ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ କଲେ ଜରିମାନା । ନିଜର ବିଜ୍ଞାପନରେ ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ବିଭ୍ରାନ୍ତିକର ତଥ୍ୟ ଦେଇଥିଲା ।

ଅଭିଯୋଗ ଅନୁସାରେ ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ନିଜ ବିଜ୍ଞାପନରେ  ୟୁପିଏସସି ସିଏସଇ-୨୦୨୩ରେ ଟପ୍ ୧୦୦ରେ ୧୩ ଜଣ, ଟପ ୨୦୦ରେ ୨୮ଜଣ ଓ ଟପ୍ ୩୦୦ରେ ୩୯ ଛାତ୍ରଛାତ୍ରୀ ସ୍ଥାନ ପାଇଥିବା ଦର୍ଶାଇଥିଲା । ଏପରିକି ଶୁଭ୍ରା ରଞ୍ଜନ ଜଣେ ଆଇଏଏସ ଅଫିସର ଥିଲେ ବୋଲି ଏଥିରେ ଦର୍ଶାଇ ଥିଲା । ତାଙ୍କ ନାମକୁ ବ୍ଯବହାର କରି ଶୁଭ୍ରା ରଞ୍ଜନ ଆଇଏଏସ ଓ ଶୁଭ୍ରା ରଞ୍ଜନ ଆଇଏଏସର ଛାତ୍ରଛାତ୍ରୀ ବୋଲି ସଂସ୍ଥା ଦର୍ଶାଇଥିଲା । ତୁରନ୍ତ ଏହି ବିଭ୍ରାନ୍ତିକର ବିଜ୍ଞାପନର ପ୍ରଚାର ବନ୍ଦ କରିବା ଲାଗି ସିସିପିଏ ନିର୍ଦ୍ଦେଶ ଦେଇଥିଲେ ।

ଖାଉଟି ସୁରକ୍ଷା ଆଇନ ୨୦୧୯ରେ ଥିବା ବ୍ଯବସ୍ଥାର ଏହା ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଥିଲେ ସିସିପିଏ। ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ବିରୋଧରେ ଏହି ନିର୍ଦ୍ଦେଶନାମା ଜାରି କରିଛି ମୁଖ୍ୟ କମିଶନର ନିଧି ଖାରେ, କମିଶନର ଅନୁପମ ମିଶ୍ର ନେତୃତ୍ବାଧୀନ ସିସିପିଏ । ଉପଭୋକ୍ତା ତଥା ଆଶାୟୀଙ୍କୁ ଅଧିକ ଆକର୍ଷିତ କରିବା ଲାଗି କୋଚିଂ ପ୍ରତିଷ୍ଠାନ ଓ ଅନଲାଇନ ଏଡିଟେକ ପ୍ରତିଷ୍ଠାନଗୁଡିକୁ ସଫଳ ପରୀକ୍ଷାର୍ଥୀଙ୍କ ଫଟୋ ଓ ନାମକୁ ବ୍ଯବହାର କରିଥାନ୍ତି । ତେବେ ଏହି ପରୀକ୍ଷାର୍ଥୀମାନଙ୍କ କୋର୍ସ, ଫି, କୋର୍ସର ସମୟସୀମା ଆଦି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥାଏ । ଏହି ପ୍ରତିଷ୍ଠାନ ୫୦ରୁ ଅଧିକ କୋର୍ସରେ କୋଚିଂ ଦେଇଥାଏ । ତେବେ ତଦନ୍ତରୁ ଜଣାଯାଇଛି ସଫଳ ବୋଲି ଦର୍ଶାଯାଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ଯରୁ ଅଧିକାଂଶ ରାଜନୀତି ବିଜ୍ଞାନ ଓ ଇଣ୍ଟନ୍ଯାସନାଲ ରିଲେସନ୍ସର ଛାତ୍ରଛାତ୍ରୀ । ସେମାନେ କ୍ରାସ କୋର୍ସ ନେଇଥିଲେ ଓ ଟେଷ୍ଟ ସିରିଜରେ ସଫଳ ହୋଇଥିଲେ । ଉପଭୋକ୍ତା ସୁରକ୍ଷା ପରିଷଦ ଆଇନ ୨୦୧୯ର ଧାରା ୨(୨୮) ଅନୁସାରେ ସିସିପିଏ ଏହି ପଦକ୍ଷେପ ନେଇଛନ୍ତି ।

ଗତ ନଭେମ୍ବର ୨୨ରେ ୟୁପିଏସସି ସିଏସଇ ୨୦୨୨ ଫଳ ନେଇ ବିଭ୍ରାନ୍ତିକର ତଥ୍ଯ ପ୍ରସାରିତ କରିଥିବାରୁ ବାଜିରାଓ ଆଣ୍ଡ ରେଡ୍ଡୀ ଇନଷ୍ଟିଚ୍ଯୁଟ ଉପରେ ୭ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ ସିସିପିଏ ।