୨୦୧୪ରୁ ଏଯାବତ ଇଲେକ୍ଟ୍ରୋନିକ୍ ମିଡିଆରେ ବିଜ୍ଞାପନ ପାଇଁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୩,୨୬୦ କୋଟି ଟଙ୍କା

1 min read

ନୂଆଦିଲ୍ଲୀ: ୨୦୧୪ରେ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଆସିବା ପରଠୁ କେନ୍ଦ୍ର ସରକାର ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଉପରେ ୩ ହଜାର ୨୬୦ କୋଟି ଟଙ୍କା ଏବଂ ଛାପା ଗଣମାଧ୍ୟମରେ ବିଜ୍ଞାପନ ଉପରେ ୩ ହଜାର ୨୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମଙ୍ଗଳବାର ଲୋକସଭାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରଶ୍ନର ଜବାବରେ ଏହି ସୂଚନା ଦେଇଛନ୍ତି ।

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାସଂଦ ମୁନିୟାନ ସେଲଭରାଜଙ୍କ ଏକ ପ୍ରଶ୍ନର ଜବାବରେ ଅନୁରାଗ ଠାକୁର ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ବିଜ୍ଞାପନ ଉପରେ ଖର୍ଚ୍ଚର ବର୍ଷିକ ହିସାବ ଦେଇଥିଲେ । ସାଂସଦ ପଚାରିଥିଲେ ଯେ ୨୦୧୪ ମସିହାରୁ ପ୍ରତ୍ୟେକ ମନ୍ତ୍ରଣାଳୟ ଦ୍ୱାରା ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ବିଜ୍ଞାପନ ଉପରେ ବହନ କରାଯାଇଥିବା ଖର୍ଚ୍ଚର ବାର୍ଷିକ ତଥ୍ୟ କଣ ରହିଛି ।

ମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତଥ୍ୟ ଅନୁସାରେ ୨୦୧୪-୧୫ ମସିହାରୁ ୭ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପ୍ରିଣ୍ଟ ମିଡିଆ ମାଧ୍ୟମରେ ବିଜ୍ଞାପନ ଉପରେ ୩,୨୩୦.୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଯେତବେଳେ କି ଏହି ଅବଧିରେ ଇଲେକ୍ଟ୍ରୋନିକ୍ ମିଡିଆ ମାଧ୍ୟମରେ ବିଜ୍ଞାପନ ଉପରେ ୩୨୬୦.୭୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଥ୍ୟ ଅନୁସାରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ମାଧ୍ୟମରେ ୨୦୧୪-୧୫ରେ ପ୍ରିଣ୍ଟ ମିଡିଆ ଉପରେ ବିଜ୍ଞାପନରେ ୪୨୪.୮୪ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ବିଜ୍ଞାପନରେ ୪୭୩.୬୭ କୋଟି ଟଙ୍କା ବ୍ୟୟ କରାଯାଇଛି ।

୨୦୧୫-୧୬ରେ ପ୍ରିଣ୍ଟ ମିଡିଆରେ ୫୦୮.୨୨ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ବିଜ୍ଞାପନ ଉପରେ ୫୩୧.୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ୨୦୧୬-୧୭ରେ ପ୍ରିଣ୍ଟ ମିଡିଆରେ ୪୬୮.୫୩ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୬୦୯.୬୦ କୋଟି ଟଙ୍କା, ସେହିପରି ୨୦୧୭-୧୮ରେ ପ୍ରିଣ୍ଟ ମିଡିଆରେ ୬୩୬.୦୯ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ୫୧୪.୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୮-୧୯ରେ ପ୍ରିଣ୍ଟ ମିଡିଆ ଉପରେ ୪୨୯.୫୫ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୫୧୪.୨୮ କୋଟି ଟଙ୍କା ।

୨୦୧୯-୨୦ରେ ପ୍ରିଣ୍ଟ ମିଡିଆ ଉପରେ ୨୯୫.୦୫ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ  ୩୧୭.୧୧ କୋଟି ଟଙ୍କା, ୨୦୨୦-୨୧ରେ ପ୍ରିଣ୍ଟ ମିଡିଆ ଉପରେ ୧୯୭.୪୯ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୧୬୭.୯୮ କୋଟି ଟଙ୍କା ତଥା ୨୦୨୧-୨୨ରେ ପ୍ରିଣ୍ଟ ମିଡିଆ ଉପରେ ୧୭୯.୦୪ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୧୦୧.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏଥିରେ କୁହାଯାଇଛି ଯେ, ୨୦୨୨-୨୩ରେ ୭ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରିଣ୍ଟ ମିଡିଆ ଉପରେ ବିଜ୍ଞାପନରେ ୯୧.୯୬ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ୭୬.୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମାଧ୍ୟମରେ ବିଦେଶୀ ମିଡିଆରେ ବିଜ୍ଞାପନ ଉପରେ କୌଣସି ବି ବ୍ୟୟ କରାଯାଇନାହିଁ । ଏହି ତାଜା ତଥ୍ୟ ଅନୁସାରେ ୨୦୧୪ରୁ କ୍ରମଶଃ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ଖର୍ଚ୍ଚ କମୁଛି । ୨୦୧୫-୧୬ରେ ବିଜ୍ଞାପନରେ ସର୍ବାଧିକ ଖର୍ଚ୍ଚ ହୋଇଥିଲା । ଏହାପରେ କେନ୍ଦ୍ର ସରକାର ବିଜ୍ଞାପନରେ ଖର୍ଚ୍ଚ କମାଇଛନ୍ତି ।