୧ ହଜାର କୋଟି ଛୁଇଁଲା ଏସ୍‌ ଏସ୍ ରାଜାମୌଲୀ ଫିଲ୍ମ ଆରାଆରଆର

1 min read

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ଆରଆରଆର । ବର୍ତ୍ତମାନ ସୁଧା ଫିଲ୍ମ ୧୦୦୦କୋଟି ଆୟ କରିସାରିଲାଣି । ୧୦୦କୋଟିରେ ସାମିଲ ହେବାକୁ କେତକ ଫିଲ୍ମ ପ୍ରାଣ ପଣେ ଚେଷ୍ଟା କରୁଥିବା ବେଳେ ଏବେ ୧୦୦୦ କୋଟି ରୋଜଗାର କରିସାରିଲାଣି ଆରଆରଆର । ପୂର୍ବରୁ ଯେତେବେଳେ ​‌କୌ​‌ଣସି ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହୁଏ, ତାହେଲେ ତାକୁ ସଫଳ ଫିଲ୍ମ କୁହାଯାଉଥିଲା । ତେଣୁ ପ୍ରତ୍ୟେକ ଅଭିନେତାଙ୍କର ଆଶା ଥାଏ ଯେ, ତାଙ୍କ ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହେଉ। ୧୦ ବର୍ଷ ପୂର୍ବେ ୧୦୦ କୋଟି ଏକ ବଡ଼ ସଂଖ୍ୟା ଭାବେ ବିବେଚିତ ହେଉଥିବା ବେଳେ ବର୍ତ୍ତମାନ ତାହା ସାଧାରଣ ହୋଇଗଲାଣି ।

ଦିନକୁ ଦିନ ବକ୍ସ ଅଫିସରେ ସାଉଥ ଫିଲ୍ମଗୁଡ଼ିକର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି । ସାଉଥ ଫିଲ୍ମଗୁଡ଼ିକର ରିଲିଜ ହେଉ ହେଉ ଜବରଦସ୍ତ ଆୟ କରୁଛି । କିଛିଦିନ ପୂର୍ବେ ‘ପୁଷ୍ପା’ ବକ୍ସ ଅଫିସରେ ହଙ୍ଗାମା କରିବା ପରେ ଏବେ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ର କ୍ରେଜ୍ କମିବାର ନାଁ ନେଉନାହିଁ। ଏହା ରାଜାମୌଲୀଙ୍କ ସୁପର୍‌ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ର ରେକର୍ଡ଼ ମଧ୍ୟ ଭାଙ୍ଗୁଥିବା ନଜର ଆସିଛି । ବିଶ୍ବବ୍ୟାପୀ ଆୟ କଥା କହିବାକୁ ଗଲେ, ‘ଆରଆରଆର’ ଚଳଚ୍ଚିତ୍ର ୧୦୦୦ କୋଟିର ବ୍ୟବସାୟ କରିଥିବା ଦେଶର ତୃତୀୟ ଚଳଚ୍ଚିତ୍ର ପାଲଟିଛି ।

ଏହି ଫିଲ୍ମ ୧୬ତମ ଦିନରେ ବିଶ୍ବସ୍ତରରେ ୧୦୦୦ କୋଟି ଟଙ୍କା ଆୟ କରିଛି । ଏହା ପୂର୍ବରୁ କେବଳ ପ୍ରଭାସଙ୍କ ‘ବାହୁବଳୀ-୨’ ଓ ଅମୀର ଖାନଙ୍କ ‘ଦଙ୍ଗଲ’ ଏହି ସ୍ତରରେ ପହଞ୍ଚି ପାରିଥିଲା । ତେବେ ଆଗାମୀ ଦିନରେ ‘ଆରଆରଆର’ ଦେଶର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରୁଛି କି ନାହିଁ ତାହା ଜାଣିବା ବାକୁ ଅଛି ।

ଏସ୍‌ ଏସ୍ ରାଜାମୌଲୀ ବଡ଼ ବଜେଟ୍‌ ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା। ‘ଆରଆରଆର’ର ବଜେଟ୍‌ ମଧ୍ୟ ପ୍ରାୟ ୫୫୦ କୋଟି ଟଙ୍କା ରହିଛି । ଏଥିରେ ଜୁନିଅର ଏନଟିଆର ଓ ରାମ ଚରଣ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ଅଲିଆ ଭଟ୍ଟ, ଅଜୟ ଦେବଗନ, ଓଲିଭିଆ ମୋରିସ୍‌, ଶ୍ରିୟା ସରଣ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।