ନୂଆଦିଲ୍ଲୀ: ଆରଆରବି ଗ୍ରୁପ ଡି’ର ୧ କୋଟିରୁ ଅଧିକ ଆଶାୟୀଙ୍କ ପାଇଁ ଭଲ ଖବର । ରେଲୱେରେ ଗ୍ରୁପ ଡି ପଦରେ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷା ରେଜଲ୍ଟ ଆରଆରବି ଘୋଷଣା କରିଛି । ପ୍ରକାଶଯୋଗ୍ୟ, ରେଲୱେ ଗ୍ରୁପ ଡି ର ୧ ଲକ୍ଷରୁ ଅଧିକ ପଦରେ ଭର୍ତ୍ତି ପାଇଁ ୧୭ ଅଗଷ୍ଟରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ପରୀକ୍ଷାର ଆୟୋଜନ କରାଯାଇଥିଲା । ରେଜଲ୍ଟକୁ ନେଇ ଆରଆରବି ସୂଚନା ଦେଇଥିଲା ଯେ ଗ୍ରୁପ ଡି ରେଜଲ୍ଟ ୨୪ ଡିସେମ୍ବର ବା ଏହା ପୂର୍ବରୁ ପ୍ରକାଶ ପାଇବ ।

ଆଜି ୨୨ ଡିସେମ୍ବରରେ ଆରଆରବି ରେଜଲ୍ଟ ଘୋଷଣା କରିଛି । ଆରଆରବି ଭୋପାଳ କ୍ଷେତ୍ରର ୱେବସାଇଟରେ ଗ୍ରୁପ ଡି ର ରେଜଲ୍ଟ ଉପଲବ୍ଧ କରାଯାଇଛି । କ୍ରମଶଃ ଅନ୍ୟ ସବୁ କ୍ଷେତ୍ରର ଫଳ ମଧ୍ୟ ଜାରି କରାଯିବ । ଯେଉଁଥିରେ ଆଶାୟୀଙ୍କ ରୋଲ ନମ୍ବରର ସୂଚୀ ଦିଆଯାଇଛି । ରେଜଲ୍ଟ ପାଇଁ ଜାରି କରାଯାଇଥିବା ପିଡିଏଫରେ ଯେଉଁ ପ୍ରାର୍ଥୀଙ୍କ ରୋଲ ନମ୍ବର ଥିବ ସେମାନଙ୍କୁ ଏବେ ଫିଜିକାଲ ଟେଷ୍ଟ ପାଇଁ ଡକାଯିବ ।

ଜାରି ପିଡିଏଫରେ କୁହାଯାଇଛି ଯେ ମୋଟ ଖାଲି ପଦର ତିନି ଗୁଣା ଆଶାୟୀଙ୍କୁ ପିଇଟି ଟେଷ୍ଟ ପାଇଁ ସର୍ଟଲିଷ୍ଟ କରାଯାଇଛି । ଏହା ବ୍ୟତୀତ ପରୀକ୍ଷାର୍ଥୀଙ୍କ ପର୍ସେଣ୍ଟାଇଲ ସ୍କୋର, ନର୍ମାଲାଇଜଡ ଅଙ୍କ ଏବଂ ପିଇଟିର ଷ୍ଟାଟସ ଚେକ୍ କରିବାର ଲିଙ୍କ ୨୭ ଡିସେମ୍ବର ବା ଏହା ପୂର୍ବରୁ ଆରଆରବିର ଅଫିସିଆଲ ୱେବସାଇଟରେ ଉପଲବ୍ଧ କରାଯିବ । ଆଶାୟୀ ପଞ୍ଜିକୃତ ନମ୍ବର ଏବଂ ଜନ୍ମତିଥି ମାଧ୍ୟମରେ ଏହାକୁ ଚେକ୍ କରିପାରିବେ ।