ରାଜ ପରିବାରର ଏହି ନେତା ଲଢ଼ିବେ ୨୦୨୪ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ରାଜନୀତିରେ ରାଜ ପରିବାର । ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି  ରାଜ ପରିବାରର ସଦସ୍ୟ । ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟଙ୍କୁ ଟିକେଟ ଦେଇଛନ୍ତି ରାଜନୈତିକ ଦଳ । ବିଜେପି ନିଜର ଦ୍ବିତୀୟ ପର୍ଯ୍ୟାୟ ଟିକେଟ ଘୋଷଣା କରିବାବେଳେ ବହୁ ରାଜ ପରିବାରର ସଦସ୍ୟଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ମଧ୍ୟ ଅନେକ ରାଜ ପରିବାରର ସଦସ୍ୟ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଏଥରକ ଟିପରା ମଥା ପାର୍ଟି କିର୍ତ୍ତୀ ସିଂ ଦେବ ବର୍ମାଙ୍କୁ ପ୍ରାର୍ଥୀ କରିଛି । ତ୍ରିପୁରାର ସାଂସଦ ରେବତୀଙ୍କ ଟିକେଟ କାଟିଛି ବିଜେପି । ତାଙ୍କ ସ୍ଥାନରେ ଟିପରା ମଥା ପାର୍ଟିରୁ କିର୍ତ୍ତୀଙ୍କୁ ପ୍ରାର୍ଥୀ କରାଯାଇଛି ।  ଏହି ଦଳ ଏନଡିଏ ମେଣ୍ଟ ସହ ଜଡିତ ରହିଛି । ଓଡ଼ିଶାରେ ବିଜେପି ମାଳବିକା କେଶରୀ ଦେବଙ୍କୁ ପ୍ରାର୍ଥୀ କରିଛି । ଅର୍କ କେଶରୀ ଦେବଙ୍କ ପତ୍ନୀ ହେଉଛନ୍ତି ମାଳବିକା । ସେପଟେ ଓଡ଼ିଶାରେ ବିଜେଡି ମଧ୍ୟ ରାଜ ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରିଛି । ବଲାଙ୍ଗୀରରେ ବିଜେଡି କଳିକେଶ ସିଂଦେଓଙ୍କୁ ପ୍ରାର୍ଥୀ କରିଛି । ଧର୍ମଗଡ଼ରେ ପୁଷ୍ପେନ୍ଦ୍ର ସିଂଦେଓ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ସେପଟେ ଦେଶର ବିଭିନ୍ନ ଆସନରେ ଏଭଳି ରାଜ ପରିବାରର ସଦସ୍ୟଙ୍କ ଉପରେ ଭରସା କରିଛନ୍ତି ରାଜନୈତିକ ଦଳ ।

ଛତ୍ରପତି ଶିବାଜୀଙ୍କ ବଂଶଧର ତଥା ବର୍ତ୍ତମାନ ବିଜେପିର ସାଂସଦ ଥିବା ଉଦୟରାଜ ଭୋସଲେ ମହାରାଷ୍ଟ୍ରର ସତାରା ଆସନରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ଉତ୍ତରାଖଣ୍ଡର ତେହରୀ ରାଜପରିବାରର ଲକ୍ଷ୍ମୀ ଶାହଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଛି । କେବଳ ଲୋକସଭା ଏବଂ ବିଧାନସଭା ପାଇଁ ରାଜ ପରିବାର ସଦସ୍ୟଙ୍କ ନାମ ନାହିଁ । ରାଜ୍ୟସଭାକୁ ମଧ୍ୟ ରାଜ ପରିବାରର ସଦସ୍ୟ ଯାଇଛନ୍ତି ।