ମୁର୍ମୁଙ୍କ ଭଳି ରାଷ୍ଟ୍ରପତି କୌଣସି ଦେଶକୁ ନମିଳୁ, ଉଦିତଙ୍କ ଟ୍ୱିଟକୁ ନେଇ ବିବାଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ଗୁଜୁରାଟର ଲୁଣ’ ସମ୍ପର୍କିତ ବୟାନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବୟାନ ଯୁଦ୍ଧ ଆରମ୍ଭ ହୋଇଛି । କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତିଙ୍କ ଏହି ବକ୍ତବ୍ୟ ଉପରେ କରିଥିବା ଟ୍ୱିଟକୁ ନେଇ ବିବାଦ ଆରମ୍ଭ ହୋଇଛି । ଉଦିତ ରାଜଙ୍କ ଟ୍ୱିଟ୍ ତାଙ୍କ ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି ବୋଲି ବିଜେପି କହିଥିବା ବେଳେ ଉଦିତ କହିଛନ୍ତି ଯେ, ଏହା ତାଙ୍କ ବ୍ୟକ୍ତିଗତ ମତ ଓ ଏହା ସହିତ ଦଳର କୌଣସି ସମ୍ପର୍କ ନାହିଁ ।

ସୂଚନାଯୋଗ୍ୟ ଯେ, ନିକଟରେ ରାଷ୍ଟ୍ରପତି ମୁର୍ମୁ ଗୁଜୁରାଟ ଗସ୍ତରେ ଯାଇଥିଲେ । ଗୁଜୁରାଟରେ ସେ ସାବରମତୀ ଆଶ୍ରମକୁ ଯାଇ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହାପରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ ଯେ, ଦେଶର ୭୬ ପ୍ରତିଶତ ଲୁଣ ଗୁଜୁରାଟରେ ତିଆରି ହୋଇଥାଏ । ତେଣୁ ଏହି ଦୃଷ୍ଟିରୁ ପୁରା ଦେଶ ଗୁଜୁରାଟର ଲୁଣ ଖାଉଛି ବୋଲି କୁହାଯାଇପାରେ ।

ଉଦିତ ରାଜ କ’ଣ କହିଲେ ?

ରାଷ୍ଟ୍ରପତିଙ୍କ ଏହି ବକ୍ତବ୍ୟକୁ ନେଇ ଉଦିତ ରାଜ୍ ଟ୍ୱିଟ୍ କରିଛନ୍ତି । ନିଜ ଟ୍ୱିଟରେ ସେ ଲେଖିଛନ୍ତି ଯେ, କୌଣସି ଦେଶକୁ ଏମିତି ରାଷ୍ଟ୍ରପତି ନମିଳନ୍ତୁ । ଚାଟୁକାରିତର ସୀମା ଥାଏ । କହୁଛନ୍ତି ଯେ, ପୁରା ଦେଶ ଗୁଜୁରାଟର ଲୁଣ ଖାଉଛି । ନିଜେ ଲୁଣ ଖାଇ ଜୀବନ ବିତାଇଲେ ଜଣା ପଡନ୍ତା । ଏହାପରେ ସେ ଆଉ ଏକ ଟ୍ୱିଟ୍ କରିଥିଲେ । ସେହି ଟ୍ୱିଟରେ ଉଦିତ ରାଜ ପୁଣି ଥରେ ରାଷ୍ଟ୍ରପତିଙ୍କୁ ଟାର୍ଗେଟ୍ କରିଥିଲେ ।  ଯେଉଁଥିରେ ସେ ଲେଖିଛନ୍ତି ଯେ, ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ଏହା ମୋର ବ୍ୟକ୍ତିଗତ ଟିପ୍ପଣୀ । କଂଗ୍ରେସ ପାର୍ଟିର ନୁହେଁ । ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ବିଜେପି ଆଦିବାସୀଙ୍କ ନାମରେ ଭୋଟ୍ ମାଗିଥିଲା । ନିର୍ବାଚନ ଯିତିବା ପରେ ସେ କ’ଣ ଆଦିବାସୀ ରହିଲେ ନାହିଁ କି ? ଦେଶର ରାଷ୍ଟ୍ରପତି ହେବା ସହିତ ସେ ଆଦିବାସୀଙ୍କ ପ୍ରତିନିଧି ମଧ୍ୟ । ଦୁଃଖ ସେତେବେଳେ ଲାଗେ ଯେତେବେଳେ ଆଦିବାସୀ,ଅନୁସୂଚିତ ଜାତି ନାମରେ ପଦକୁ ଯାଆନ୍ତି ଓ ପରେ ଚୁପ୍ ହୋଇଯାଆନ୍ତି ।

ବିଜେପିର ଆକ୍ରମଣ

ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ଉଦିତ୍ ରାଜଙ୍କ ଟ୍ୱିଟକୁ ସହଜରେ ଗ୍ରହଣ କରି ନାହିଁ ବିଜେପି । ବିଜେପି ନେତା ସମ୍ବିତ ପାତ୍ର କଂଗ୍ରେସକୁ ଆକ୍ରମଣ କରି କହିଛନ୍ତି ଯେ, ଉଦିତ ରାଜଙ୍କ ଟିପ୍ପଣୀ ଚିନ୍ତାଜନକ ଓ ଦୁର୍ଭଗ୍ୟପୂର୍ଣ୍ଣ । ଏଭଳି ଟିପ୍ପଣୀ କଂଗ୍ରେସ ଦଳର ଆଦିବାସୀ ବିରୋଧୀ ମାନସିକତା ଦର୍ଶାଉଛି ବୋଲି ସେ କହିଛନ୍ତି ।