ରାଉରକେଲାରେ ଟ୍ରେନ ଲାଇନଚ୍ଯୁତ ଘଟଣା, ୫ କର୍ମଚାରୀ ସସପେଣ୍ଡ
![](https://nandighoshatv.com/wp-content/uploads/2025/02/6-1.jpg)
ରାଉରକେଲା: ରାଉରକେଲା ସହରର ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣାର ତଦନ୍ତ ଆରମ୍ଭ । ରେଲୱେ ବିଭାଗର ୩ ଜଣ ବରିଷ୍ଠ ଅଧିକାରୀ ଏହାର ତଦନ୍ତ ଜାରି ରଖିଛନ୍ତି । ପ୍ରାଥମିକ ତଦନ୍ତରୁ ରେଲୱେ କର୍ମଚାରୀଙ୍କ ଅବହେଳାରୁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି । ୫ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଏହାସହ ରେଲୱେ ଟ୍ରାକରେ ଆଜି ଲୁହା ଷ୍ଟ୍ରକଚର ନିର୍ମାଣ କରାଯିବା ସହ ସିମେଣ୍ଟ କଂକ୍ରିଟ ବାଡ ଦିଆଯାଇଛି । ଦୁର୍ଘଟଣା ପରେ ରାଉରକେଲା ରେଲୱେ ଷ୍ଟେସନ ମ୍ୟାନେଜରଙ୍କୁ ବଦଳି କରାଯାଇଛି ।
ରାଉରକେଲା ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ବସ୍ତି ଭିତରକୁ ପଶିଯିବା ଘଟଣାରେ ଜାରି ରହିଛି ତଦନ୍ତ । ବିଭାଗର ୩ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରି ଏଥିରେ ରେଳ କର୍ମଚାରୀଙ୍କ ଅବହେଳା ଥିବା ଜାଣିବାକୁ ପାଇଛନ୍ତି । ସମ୍ପୃକ୍ତ ରେଲୱେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଲୱେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦୁର୍ଘଟଣା ପରେ ଲୁହା ଷ୍ଟ୍ରକଚର ନିର୍ମାଣ କରାଯିବା ସହ ବଡ ବଡ ସିମେଣ୍ଟ କଙ୍କ୍ରିଟ ବାଡ ଦିଆଯାଇଛି । ଟ୍ରେନ ଦୁର୍ଘଟଣା ପରେ ରାଉରକେଲା ରେଲୱେ ଷ୍ଟେସନ ମ୍ୟାନେଜରଙ୍କ ବଦଳି କରାଯାଇଛି । ଦକ୍ଷିଣ ପୂର୍ବ ରେଲୱେର ମହାପ୍ରବନ୍ଧକ ଦୁର୍ଘଟଣାସ୍ଥଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରେଲୱେ ଜମିରେ ଜବର ଦଖଲ କରି ବସ୍ତି ବାସିନ୍ଦା ରହୁଥିବାରୁ ଆର୍ଥିକ ସହାୟତା ପ୍ରଦାନ କରିବା ନିୟମ ନଥିବା ସେ ସୂଚନା ଦେଇଛନ୍ତି ।
ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ବସ୍ତି ବାସିନ୍ଦା । ମାଲବାହୀ ଟ୍ରେନର ୪ଟି ବଗି ଟ୍ରାକରୁ ବିଚ୍ଯୁତ ହୋଇ ପାଚେରୀ ଭାଙ୍ଗି ବସ୍ତି ଭିତରକୁ ପଶିଯିବା ଫଳରେ ଦୁଇଟି ଅଟୋ ଓ ୮ଟି ଠେଲା ଭାଙ୍ଗି ଯାଇଛି । ହେଲେ ଘଟଣା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି ବସ୍ତି ବାସିନ୍ଦା । କ୍ଷତିଗ୍ରସ୍ତ ଅଟୋ ଓ ଠେଲା ମାଲିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।
ରେଲୱେ ଜମିରେ ଜବରଦଖଲ କରି ଗଢି ଉଠିଛି ବସ୍ତି । ତେବେ ଆଗାମୀ ଦିନରେ ଏପରି ଅଘଟଣ ଯେପରି ନଘଟେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।