ପୁଣି ଗଡ଼ିଲା ମୁଣ୍ଡ: ୫ ଦିନରେ ୫ଟି ହତ୍ୟାକାଣ୍ଡ ଯୋଗୁଁ ଆତଙ୍କିତ ରାଉରକେଲା ସହରବାସୀ

ରାଉରକେଲା: ପୁଣି ରକ୍ତପାତ, ପୁଣି ଗଡ଼ିଲା ମୁଣ୍ଡ । ଅଣାୟତ ରାଉରକେଲାର ଆଇନ ଶୃଙ୍ଖଳା । ୫ ଦିନରେ ୫ଟି ହତ୍ୟାକାଣ୍ଡ ଯୋଗୁଁ ଆତଙ୍କିତ ସହରବାସୀ । ମାଆ ହତ୍ୟାକାରୀ ବାପାକୁ ହତ୍ୟାକଲା ପୁଅ । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଭାଲୁପତ୍ରା ଗ୍ରାମରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା । ହତ୍ୟାକାରୀ ୨୨ ଵର୍ଷୀୟ ବିଷ୍ଣୁ ବର୍ମାକୁ ଗିରଫ କରିଛି ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ । ମୃତ ବାପା ୫୫ ବର୍ଷୀୟ କାନ୍ତିକୁମାର ବର୍ମା ନିଜ ପତ୍ନୀକୁ ହତ୍ୟା କରିବା କରିଥିବା ଅଭିଯୋଗରେ ୨୦୨୪ ଡ଼ିସେମ୍ବରରେ ଜେଲରୁ ଫେରିଥିଲେ । ପୁଅ ସହ ଗଣ୍ଡଗୋଳ ଯୋଗୁଁ ଉତକ୍ଷିପ୍ତ ହୋଇ ହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି ।

୫ ଦିନରେ ୫ଟି ହତ୍ୟାକାଣ୍ଡ ସହରବାସୀଙ୍କ ନିଦ ହଜାଇ ଦେଇଛି । ପୂର୍ବ ସରକାରଙ୍କ ସମୟରେ ଶାନ୍ତ ସହର ଥିବା ରାଉରକେଲାରେ ଏବେ ପ୍ରତିଦିନ ଘଟୁଛି ରକ୍ତପାତ । ଗତ ୯ ତାରିଖରେ ଭିଏସଏସ ମାର୍କେଟ ଓ ଗାନ୍ଧୀ ରୋଡ଼ରେ ଦୁଇଜଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ୧୧ ତାରିଖରେ ସାଙ୍ଗକୁ ସ୍କୃଡ୍ରାଇଭରରେ ଭୁସି ଦେବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି । ୧୨ ତାରିଖ ରାତିରେ ଏସଟିଆଇ ଛକ ନିକଟରେ ଜଣେ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବାରୁ ଅପରାଧ ବଢିଥିବା ଲୋକେ ଅଭିଯୋଗ କରିଛନ୍ତି । ମଦ କାରବାର ରୋକିବାକୁ ରାଉରକେଲା ରାସ୍ତାକଡ, ପାର୍କ ଓ ସହର ନିକଟବର୍ତ୍ତୀ ଜାତୀୟ ରାଜପଥ ଏବଂ ଢାବାରେ ଚଢାଉ କରୁଛି ପୋଲିସ୍ ।